ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଆଜି ମଦ ଦୁର୍ନୀତି ଓ ଅରବିନ୍ଦ କେଜ୍ରିୱାଲ କେସରେ ସିବିଆଇକୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ହାଇକୋର୍ଟ ଯାଞ୍ଚରେ ତ୍ରୁଟି ପାଇଁ ସିବିଆଇ ଅଧିକାରୀଙ୍କ ତଦନ୍ତ କରାଇବା ଟ୍ରାଏଲ କୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇଛନ୍ତି । ଏହା ସହିତ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି, ଯେ ପର୍ଯ୍ୟନ୍ତ ହାଇକୋର୍ଟ ଏହି ମାମଲାରେ କୌଣସି ନିଷ୍ପତ୍ତି ନ ଶୁଣାଇଛନ୍ତି, ସେ ପର୍ଯ୍ୟନ୍ତ ଟ୍ରାଏଲ କୋର୍ଟ ଇଡି କେସରେ ନିର୍ଣ୍ଣୟ ଶୁଣାଇବେ ନାହିଁ । ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬ ଧାର୍ଯ୍ୟ କରାଯାଇଛି ।
ଦିଲ୍ଲୀ ହାଇକୋର୍ଟ ଆଜି ସିବିଆଇର ସେହି ଅପିଲ୍ ଉପରେ ଶୁଣାଣି କରିଥିଲା, ଯେଉଁଥିରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ମଦ ଦୁର୍ନୀତିରେ ଜଡିତ ସମସ୍ତ ୨୧ ଅଭିଯୁକ୍ତଙ୍କୁ ମୁକ୍ତ କରାଯିବାକୁ ଚ୍ୟାଲେଞ୍ଜ କରିଥିଲା । ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା ସିବିଆଇର ଦଲିଲ ଶୁଣିବା ପରେ କେଜ୍ରିୱାଲ ସମେତ ସମସ୍ତ ୨୩ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି ।
ଶୁଣାଣି ସମୟରେ ସିବିଆଇ ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, ଏହା ଦେଶର ରାଜଧାନୀ ଇତିହାସର ସବୁଠୁ ବଡ ଦୁର୍ନୀତି ମଧ୍ୟରୁ ଗୋଟିଏ । ସାଧାରଣ ଅଭିଯୋଗ ଏହା ଯେ, ଏହା ଏକ ନୀତି ଥିଲା । ମୋଡି ତୋଡି ନିୟମ କରାଯାଇଥିଲା, ଯଦ୍ୱାରା କିଛି ମଦ ବ୍ୟବସାୟୀଙ୍କୁ ଫାଇଦା ମିଳି ପାରିବ ।
ମେହଟ୍ଟା କହିଛନ୍ତି, ସିବିଆଇ ମନି ଲଣ୍ଡ୍ରିଂର ସନ୍ଧାନ କରି ପାରିବ । ସମସ୍ତ ସାକ୍ଷୀଙ୍କ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଯାଞ୍ଚ ହୋଇଛି । ୧୬୪ ସାକ୍ଷୀ ଏହା ଦର୍ଶାଇଛନ୍ତି ଯେ, କେମିତି ଷଡଯନ୍ତ୍ର ରଚାଯାଇଥିଲା । କେଉଁଠି ମିଟିଂ ହୋଇତିଲା, ଲାଞ୍ଚ କେମିତି ଦିଆଗଲା, କାହାକୁ ଦିଆଗଲା ସବୁ । ଜଣେ ବ୍ୟକ୍ତି ବିଜୟ ନାୟର ଦୁଇ ଜଣ ରାଜନୈତିକ ବ୍ୟକ୍ତିଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିଲେ । ଏସବୁକୁ ଦେଖିଲେ ମାମଲାକୁ ପୁନଃ ଖୋଲିବା ଉଚିତ୍ । ଏମିତି ହେଲେ ଅରବିନ୍ଦ କେଜ୍ରିୱାଲ ଓ ମନିଷ ସିସୋଦିଆଙ୍କ ମୁସ୍କିଲ ପୁଣି ଥରେ ବଢିପାରେ ।