ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶରେ କଂଗ୍ରେସକୁ ଏକ ଶକ୍ତ ଝଟକା ଲାଗିଛି । ସୋମବାର ବିଜେପି ନେତା ରାମନିବାସ ରାୱତଙ୍କ ଦ୍ୱାରା ଦାଖଲ ଏକ ଯାଚିକାର ଶୁଣାଣି କରି ମଧ୍ୟ ପ୍ରଦେଶ ହାଇକୋର୍ଟ କଂଗ୍ରେସ ବିଧାୟକ ମୁକେଶ ମଲହୋତ୍ରାଙ୍କ ନିର୍ବାଚନକୁ ରଦ୍ଦ କରିଛନ୍ତି । କଂଗ୍ରେସର ବିଜୟପୁର ଆସନ ବିଜେପି ଖାତାକୁ ଯାଇଛି ।
ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ରାମନିବାସ ରାୱତ ମୁକେଶ ମଲହୋତ୍ରାଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁକେଶ ନିର୍ବାଚନ ସମୟରେ ନିଜର ଅପରାଧିକ ରେକର୍ଡ ଦାଖଲ କରିନଥିବାର ଅଭିଯୋଗ ହୋଇଥିଲା । ଯାହାର ଆଜି ହାଇକୋର୍ଟ ବେଞ୍ଚ ଶୁଣାଣି କରି ବଡ଼ ରାୟ ଦେଇଛନ୍ତି । ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିବା ଅଭିଯୋଗରେ ହାଇକୋର୍ଟର ଗ୍ୱାଲିୟର ବେଞ୍ଚର ବିଚାରପତି ଜିଏସ୍ ଅଲୁବାଲିଆ ଏହି ନିର୍ବାଚନକୁ ବାତିଲ କରିଛନ୍ତି । ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ରାମନିବାସଙ୍କ ବିଧାୟକ ହେବାର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି କଂଗ୍ରେସ କହିଛି ।
ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ତଥା ଆଦିବାସୀ ନେତା ମୁକେଶ ମଲହୋତ୍ରା ପ୍ରଥମେ ବିଜେପିରେ ଥିଲେ । ବିଧାନସଭା ଟିକେଟ ନ ମିଳିବାରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ । ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିଲେ । ୨୦୨୩ ନିର୍ବାଚନରେ ସେ ବିଜୟପୁର ଆସନରୁ ଲଢିଥିଲେ । ନିର୍ବାଚନ ପରେ ରାମନିବାସ ରାୱତ ତାଙ୍କ ବିରୋଧରେ ମଧ୍ୟ ପ୍ରଦେଶ ହାଇକୋର୍ଟର ଗ୍ୱାଲିୟର ବେଞ୍ଚରେ ଯାଚିକା ଦାଖଲ କରିଥିଲେ । ମିଥ୍ୟା ସତ୍ୟପାଠ ଦାଖଲି କରିବାର ଅଭିଯୋଗ ଆଣିଥିଲେ । ସେ ସତ୍ୟପାଠରେ ତାଙ୍କର ଅପରାଧିକ ପୃଷ୍ଠଭୂମି ବିଷୟରେ ଭୁଲ ଦେଇଥିଲେ । ତାଙ୍କ ବିରୁଦ୍ଧରେ 6ଟି ଅପରାଧିକ ମାମଲାରେ ଥିବାବେଳେ ମାତ୍ର ୨ଟିର ତଥ୍ୟ ଦାଖଲ କରିଥିଲେ ।