ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ହୋଇଥିବା ପ୍ରଟୋକୋଲ ତ୍ରୁଟିକୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଆପଣେଇଛନ୍ତି । କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଆଜି ସନ୍ଧ୍ୟା ୫ଟା ସୁଦ୍ଧା ପୂରା ମାମଲାରେ ରିପୋର୍ଟ ତଲବ କରିଛନ୍ତି । ଶନିବାର ରାଷ୍ଟ୍ରପତିଙ୍କ ଦ୍ୱାରା ଦାର୍ଜିଲିଂ ଜିଲ୍ଲାରେ ସାର୍ବଜନୀନ ଭାବେ ଅସନ୍ତୋଷ ବ୍ୟକ୍ତ ପରେ କେନ୍ଦ୍ର ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗରେ ଏକ ବଡ ରାଜନୈତିକ ବିବାଦ ମୁଣ୍ଡ ଟେକିଛି । ଏହାକୁ ନେଇ କେନ୍ଦ୍ର ଓ ଟିଏମସି ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି ।
ଗୃହ ମନ୍ତ୍ରଣାଳୟର ମୁଖ୍ୟ ସଚିବ ମୁଖ୍ୟତଃ ତିନୋଟି ମହତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ସ୍ପଷ୍ଟୀକରଣ ମାଗିଛନ୍ତି । ରାଷ୍ଟ୍ରପତିଙ୍କ ଆଗମନ ସମୟରେ ତାଙ୍କର ସ୍ୱାଗତ ପାଇଁ ନିର୍ଦ୍ଧାରିତ ପ୍ରୋଟୋକଲର ପାଳନ କାହିଁକି କରାଗଲା ନାହିଁ ? ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟର ମନ୍ତ୍ରୀଙ୍କ ଉପସ୍ଥିତ ହେବା ଉଚିତ୍ ଥିଲା । ଦାର୍ଜିଲିଂ ଜିଲ୍ଲାରେ ଆୟୋଜିତ ଅନ୍ତର୍ଜାତୀୟ ସାନ୍ଥାଳି ସମ୍ମିଳନୀର ସ୍ଥାନ ଅନ୍ତିମ ସମୟରେ କାହିଁକି ପରିବର୍ତ୍ତନ କରାଗଲା ? କାର୍ଯ୍ୟକ୍ରମ ସମୟରେ ସୁରକ୍ଷା ଓ ଅନ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଏତେ ତ୍ରୁଟି କାହିଁକି ହେଲା ।
ନିଜେ ଅସନ୍ତୋଷ ବ୍ୟକ୍ତ କରିଥିଲେ ରାଷ୍ଟ୍ରପତି
ଏହା ପୂର୍ବରୁ ଶନିବାର ସିଲିଗୁଡି ନିକଟରେ ଆୟୋଜିତ ନବମ ଅନ୍ତର୍ଜାତୀୟ ସାନ୍ଥାଳି ସମ୍ମିଳନୀକୁ ସମ୍ବୋଧିତକରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାବୁକ ହୋଇ ପଡିଥିଲେ । ସେ ସାର୍ବଜନୀନ ଭାବେ କହିଥିଲେ ଯେ, ତାଙ୍କୁ ସ୍ୱାଗତ କରିବା ପାଇଁ ନା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ ନା କୌଣସି ବରିଷ୍ଠ ମନ୍ତ୍ରୀ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସ୍ଥଳକୁ ବିଧାନନଗରରୁ ହଟାଯାଇ ଗୋସାଇପୁର କରାଯିବା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ରାଷ୍ଟ୍ରପତି । ସେ କହିଛନ୍ତି, ମୋତେ କୁହାଗଲା ଯେ, ବିଧାନନଗରରେ ଜାଗା କମ ଅଛି । ମାତ୍ର ଯେବେ ମୁଁ ଏଠାକୁ ଆସି ଦେଖିଲି ଏଠାରେ ତ ୫ ଲକ୍ଷ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଥିଲା । ମୁଁ ବୁଝି ପାରୁନି ପ୍ରଶାସନ କାର୍ଯ୍ୟକ୍ରମକୁ କାହିଁକି ଏତେ ଦୂର କଲେ । ଏଥିରେ ସାନ୍ଥାଳି ସମୁଦାୟର ଲୋକଙ୍କୁ ଆୟୋଜନସ୍ଥଳରେ ପହଞ୍ଚିବାରେ ସମସ୍ୟା ଉପୁଜିଲା ।
Also read: ଲଜ୍ଜାଜନକ ! ଏମିତି କେବେ ଘଟିନି, ରାଷ୍ଟ୍ରପତିଙ୍କ ଅନାଦର ନେଇ ମମତାଙ୍କ ଉପରେ ବର୍ଷିଲେ PM ମୋଦୀ