LPG ସିଲିଣ୍ଡର ଉପରେ ମିସାଇଲ ମାଡ଼ ⵏ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଦେଖାଦେଇଛି ଅଭାବ । ଆଉ ଏହାର ସିଧାସଳଖ ପ୍ରଭାବ ହୋଟେଲ ଇଣ୍ଡଷ୍ଟ୍ରି ଉପରେ ପଡ଼ିଛି । ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ରେଷ୍ଟୁରାଣ୍ଟ ବନ୍ଦ ହୋଇଯିବ । କମର୍ସିଆଲ୍ ଗ୍ୟାସ୍ ଯୋଗାଣ ଉପରେ ରୋକ୍ ଏବଂ ଡେଲିଭରିରେ ବିଳମ୍ବ ଯୋଗୁଁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଏ ବାବଦରେ ପେଟ୍ରୋଲିୟମ୍ ମନ୍ତ୍ରୀଙ୍କୁ ଚିଠି ଲେଖିଛି ହୋଟେଲ୍ ଓ ରେଷ୍ଟୁରାଣ୍ଟ ସଂଘ । ଏଲ୍ପିଜି ସଙ୍କଟ ସ୍ଥିତି ଭିତରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ ବିବୃତି ଜାରି ହୋଇଛି। ତେଲ ରିଫାଇନାରି ଗୁଡିକୁ ଉତ୍ପାଦନ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଘରୋଇ ଗ୍ୟାସ୍ ଆବଶ୍ୟକତା ପୂରଣ କରିବା ପାଇଁ ଏହାକୁ ଲାଗୁ କରାଯିବ । ସେହିପରି ବଢ଼ିଲା ରୋଷେଇ ଗ୍ୟାସ୍ ବୁକିଂ ଅବଧି । ମଧ୍ୟପ୍ରାଚ୍ୟ ଯୁଦ୍ଧ ସଂକଟ ଭିତରେ କେନ୍ଦ୍ର ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ତେଣୁ ମାପିଚୁପି ଜାଳନ୍ତୁ ରୋଷେଇ ଗ୍ୟାସ୍ । କାରଣ ୨୫ ଦିନ ଭିତରେ ଗ୍ୟାସ୍ ସରିଗଲେ ହଇରାଣ ହେବାକୁ ପଡ଼ିପାରେ । ଏଣିକି ୨୫ ଦିନ ପରେ ହୋଇପାରିବ ଗ୍ୟାସ୍ ରିଫିଲ୍ ବୁକିଂ । ଅର୍ଥାତ୍ ଗୋଟିଏ ଗ୍ୟାସ୍ ସିଲିଣ୍ଡର୍ ଡେଲିଭରିର ୨୫ ଦିନ ପରେ ଆଉ ଗୋଟିଏ ସିଲିଣ୍ଡର୍ ପାଇଁ ବରାଦ କରିପାରିବେ ଉପଭୋକ୍ତା । ଏଲ୍ପିଜି କଳାବଜାରୀ ରୋକିବାକୁ ରିଫିଲ୍ ବୁକିଂ ଅବଧି ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଦେଖି ଲୋକେ ତରବରିଆ ଗ୍ୟାସ୍ ବୁକିଂ କରୁଥିବା ସୂଚନା ରହିଛି । 'ପୂର୍ବରୁ ଯେଉଁମାନେ ୫୫ ଦିନରେ ବୁକିଂ କରୁଥିଲେ, ଏବେ ୧୫ ଦିନରେ କରୁଛନ୍ତି । ରିଫାଇନାରିଗୁଡ଼ିକୁ ଏଲ୍ପିଜି ଉତ୍ପାଦନ ବୃଦ୍ଧି କରିବା ସହ ବାଣିଜ୍ୟିକ ଅପେକ୍ଷା ଘରୋଇ ଗ୍ୟାସ୍ ସଂଯୋଗକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ।
ଏଥିସହ ପେଟ୍ରୋଲ ଡିଜେଲକୁ ବି ନେଇ ଆସିଛି କେନ୍ଦ୍ରର ସ୍ପଷ୍ଟୀକରଣ । ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିବା ଆଶଙ୍କା ନାହିଁ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅଶୋଧିତ ତୈଳ ବ୍ୟାରେଲ୍ ପ୍ରତି ୧୩୦ ଡଲାର୍ ନ ଟପିବା ଯାଏ ଦର ବଢ଼ିବନି ଦେଶରେ ପର୍ଯ୍ୟାପ୍ତ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ଗଚ୍ଛିତ ଥିବା ମଧ୍ୟ ସୂଚନା ରହିଛି ।