ନୂଆଦିଲ୍ଲୀ: ଭାରତର ପ୍ରମୁଖ ବିମାନ କମ୍ପାନୀ ଇଣ୍ଟରଗ୍ଲୋବ ଆଭିଏସନ୍ (ଇଣ୍ଡିଗୋ) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପିଟର୍ ଏଲବର୍ସ ଇସ୍ତଫା ଦେଇଛନ୍ତି । ପରିଚାଳନା ନିର୍ଦ୍ଦେଶକ ରାହୁଲ ଭାଟିଆଙ୍କୁ କମ୍ପାନୀର କାର୍ଯ୍ୟର ମଧ୍ୟବର୍ତ୍ତୀକାଳୀନ ଦାୟିତ୍ୱ ଦିଆଯାଇଛି। ପିଟର୍ ବ୍ୟକ୍ତିଗତ କାରଣ ଦର୍ଶାଇ ମଙ୍ଗଳବାରଠାରୁ ସିଇଓ ପଦରୁ ଇସ୍ତଫା ଦେଉଥିବା କହିଛନ୍ତି । ନୋଟିସ୍ ଅବଧି ଛାଡ଼ କରିବାକୁ ସେ କମ୍ପାନୀକୁ ଅନୁରୋଧ କରିଛନ୍ତି ।
ଇଣ୍ଡିଗୋ ପକ୍ଷରୁ ସେୟାର ବଜାରରେ ଏଲବର୍ସଙ୍କ ଇସ୍ତଫାକୁ ନେଇ ସୂଚିତ କରିଛି । ଆଜି ବୋର୍ଡ ଦ୍ୱାରା ଡକାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଲବର୍ସଙ୍କ ଇସ୍ତଫା ଉପରେ ଆଲୋଚନା ହୋଇଥିଲା । ଏହା ପରେ ତାଙ୍କୁ କାର୍ଯ୍ୟରୁ ମୁକ୍ତ କରାଯାଇଛି । ତାଙ୍କ ସ୍ଥାନରେ ଏମଡି ରାହୁଲ ଭାଟିଆ ଅନ୍ତରୀଣ ଦାୟିତ୍ୱ ବହନ କରିବେ । କମ୍ପାନୀର ସୁଦୃଢ଼ କରିବା, କାର୍ୟ୍ୟକ୍ଷମ ଉତ୍କର୍ଷତାକୁ ଆଗେଇ ନେବା ଏବଂ ଆମର ଗ୍ରାହକମାନଙ୍କୁ ଯତ୍ନ, ବିଶ୍ୱାସ ଏବଂ ବୃତ୍ତିଗତତା ଦ୍ୱାରା ସର୍ବୋତ୍ତମ ସେବା ପ୍ରଦାନ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବା ପାଇଁ ରାହୁଲ ଏୟାରଲାଇନ୍ସର ପରିଚାଳନା ଦାୟିତ୍ୱ ନେବାକୁ ଫେରିଥିବା ବୋର୍ଡର ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟା କହିଛନ୍ତି।
ସେପ୍ଟେମ୍ବର ୬, ୨୦୨୨ ରେ ପିଟର୍ ଏଲବର୍ସ ଇଣ୍ଡିଗୋର ଦାୟିତ୍ୱ ନେଇଥିଲେ । ଗତ ଡିସେମ୍ବର ମାସରେ କମ୍ପାନୀ ପରିଚାଳନାଗତ ସଙ୍କଟର ସମ୍ମୁଖୀନ ହୋଇଥିଲା । ସାରା ଦେଶରେ ଅତିକମରେ ୩ ଲକ୍ଷ ଯାତ୍ରୀ ଗୁରୁତର ଭାବରେ ପ୍ରଭାବିତ କରିଥିଲା। ଉଡ଼ାଣ ସଙ୍କଟ ପରଠାରୁ ନିରନ୍ତର ଚାପ ମଧ୍ୟରେ ଥିଲେ। ଏହି କାର୍ଯ୍ୟନିର୍ବାହୀ ସଙ୍କଟ କମ୍ପାନୀର ପ୍ରତିଷ୍ଠାକୁ ଯଥେଷ୍ଟ କ୍ଷତି ପହଞ୍ଚାଇଥିଲା। ଇଣ୍ଡିଗୋ ଶହ ଶହ ଉଡ଼ାଣ ବାତିଲ କରିବା ଯୋଗୁଁ ଆର୍ଥିକ ଚାପ ପଡ଼ିଥିଲା । ବିମାନ ନିୟାମକ ଡିଜିସିଏ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ସହିତ ଇଣ୍ଡିଗୋ ଉପରେ ୨୨.୨୦ କୋଟି ଜରିମାନା ଲଗାଇଛି।