ନୂଆଦିଲ୍ଲୀ: ଫେବୃଆରୀ ୭ରୁ ଆରମ୍ଭ ହେଉଛି ଟି-୨୦ ବିଶ୍ୱକପ୍ ୨୦୨୬ । ଭାରତ ଓ ଶ୍ରୀଲଙ୍କାର ମିଳିତ ସହାଭାଗିତାରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଛି । ତେବେ ବାଂଲାଦେଶ ବିଶ୍ୱକପ୍ ଖେଳିବ କି ନାହିଁ ତାକୁ ନେଇ ସଂଶୟ ଲାଗି ରହିଛି । ଏହାକୁ ନେଇ ଆଇସିସିର ପ୍ରତିନିଧିମଣ୍ଡଳ ବାଂଲାଦେଶ କ୍ରିକେଟ୍ ବୋର୍ଡ(ବିସିବି) ସହ ଆଲୋଚନା ପାଇଁ ବାଂଲାଦେଶ ଗସ୍ତ କରି ପାରନ୍ତି ।
ଦେ ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, କ୍ରୀଡା ପରାମର୍ଶଦାତା ଆସିଫ ନଜରୁଲ ଗୁରୁବାର ଫରେନ ସର୍ଭିସ ଏକାଡେମୀରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଏହାର ସୂଚନା ଦେଇଛନ୍ତି । ଆସିଫ ନଜରୁଲ କହିଛନ୍ତି, ଆଇସିସିର ଏକ ପ୍ରତିନିଧ ଦଳ ଆଲୋଚନା ପାଇଁ ବାଂଲାଦେଶ ଗସ୍ତ କରି ପାରନ୍ତି । କିନ୍ତୁ ଆମର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ । ଆମେ ବିଶ୍ୱକପ୍ ଖେଳିବାକୁ ଉତ୍ସୁକ । ମାତ୍ର ଭାରତରେ ଖେଳିବୁ ନାହିଁ । ମୋତେ ଭରସା ଯେ, ଆମର ମ୍ୟାଚ୍ ଶ୍ରୀଲଙ୍କାରେ ଆୟୋଜନ ନେଇ କିଛି ଅସମ୍ଭବ ନୁହେଁ ।
ବିସିବିର ଅଧିକାରୀ କହିଛନ୍ତି, ଆଇସିସି ସହ ଆଲୋଚନା ଚାଲିଛି । ହେଲେ ଗସ୍ତର ସମୟ ଏ ପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ । ତେବେ ଆଇସିସି ଓ ବିସିବି ମଧ୍ୟରେ ହୋଇଥିବା ପୂର୍ବ ବୈଠକ ବିଫଳ ରହିଛି । ବାଂଲାଦେଶ ଏବେ ବି ଭାରତରେ ନିଜର ମ୍ୟାଚ୍ ନ ଖେଳିବା ନେଇ ନିଜ ଜିଦରେ ଅଟଳ ରହିଛି । ଭାରତରୁ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ବିସିବି ପୁଣି ଥରେ ଆଇସିସି ନିକଟରେ ଅନୁରୋଧ କରିଛି ।
ଆଇସିସି ବିସିବିକୁ ନିଜର ଆଭିମୁଖ୍ୟ ଉପରେ ପୁନଃ ବିଚାର କରିବାକୁ ଅପିଲ୍ ିକରିଛି । ମାତ୍ର ବାଂଲାଦେଶ କ୍ରିକେଟ୍ ବୋର୍ଡ ନିଜ ଜିଦରେ ଅଟଳ । ତେବେ ଉଭୟ ପକ୍ଷ ସମାଧାନର ରାସ୍ତା ବାହାର କରିବା ପାଇଁ ଆଲୋଚନା ଜାରି ରଖିବାକୁ ସହମତି ହୋଇଛନ୍ତି । ସୂଚନାଯୋଗ୍ୟ, ଆଇପିଏଲରୁ ବାଂଲାଦେଶର ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବାହାର କରାଯିବା ପରେ ବାଂଲାଦେଶ ପଦକ୍ଷେପ ନେଇ ନିଜର ଦଳକୁ ଭାରତ ନ ପଠାଇବାକୁ ନିଷ୍ପତ୍ତି ନେଇଥିଲା ।
Also read: ଗମ୍ଭୀରଙ୍କ ବିରୋଧରେ ପକ୍ଷପାତ ଅଭିଯୋଗ, ଆୟୁଷ ବାଦୋନୀଙ୍କ ଚୟନ ନେଇ ଉଠିଲା ପ୍ରଶ୍ନ