କେନ୍ଦୁଝର: କଥାରେ ଅଛି, ଭାଗ୍ୟ ଯେତେବେଳେ କିଛି ଦିଏ, ଛପର ଫାଡ଼ିକି ଦିଏ...କାରଣ ଏହି କଥା ଏବେ ସତ ପାଲଟିଛି। କେନ୍ଦୁଝରର ଦିନ ମୁଜରିଆ ଭାବେ ଜୀବନ ଜିଉଁଥିବା ଜଣେ ଯୁବକଙ୍କ ଭାଗ୍ୟରେ ଏଭଳି ପରିବର୍ତ୍ତନ ଘଟିଛି। ଅନଲାଇନ୍ ଗେମ୍ ଖେଳି ସେ ପାଲଟିଯାଇଛନ୍ତି ଦିନ ମଜୁରିଆରୁ କୋଟିପତି। ୩ କୋଟି ଟଙ୍କା ସହ ଜିତିଛନ୍ତି ମହେନ୍ଦ୍ରା ଥାର୍ ଗାଡ଼ି। ଏହି ଯୁବକ ଜଣକ ହେଉଛନ୍ତି ୨୬ ବର୍ଷିୟ ଗୁରୁଚରଣ ଜମୁଦା। ଘର କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମକପୁର କ୍ଷେତ୍ରର ରେଭେନସାପୁର ଗାଁରେ। ଅନଲାଇନ୍ ଗେମ୍ ଖେଳି ଟଙ୍କା ଜିତିବା ପରେ ପରିବାର ସହ ପୂରା ଅଞ୍ଚଳରେ ଖେଳିଯାଇଛି ଖୁସିର ଲହରୀ।
ସୂଚନା ମୁତାବିକ, ଗୁରୁଚରଣ ନିକଟ ଖଣି ଅଞ୍ଚଳରେଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ହେଲେ ସେ ଏବେ କୋଟିପତି ହୋଇଛନ୍ତି। ଅନଲାଇନ ଆପ୍ ଦ୍ୱାରା IPLରେ ମାତ୍ର ୪୯ ଟଙ୍କା ଲଗାଇ ତିନି କୋଟି ଟଙ୍କା ସହ ଏକ ମହିନ୍ଦ୍ରା ଥର୍ ଜିତିଛନ୍ତି। ତେବେ ସେ କୋଟିପତି ବନିବାର କାହାଣୀ ଅତି ରୋଚକ ରହିଛି।
ଆଇପିଏଲ ପାଇଁ ମାତ୍ର ୪୯ ଟଙ୍କାର ଅନଲାଇନ୍ ବେଟିଂ ଲଗାଇ ରାତିରେ ଶୋଇପଡ଼ିଥିଲେ, ଆଉ ଆଖି ଖୋଲିଲା ବେଳକୁ ୱାଲେଟରେ କ୍ରେଡିଟ୍ ହୋଇଥିଲା ୩ କୋଟି ଟଙ୍କା। ପ୍ରଥମେ ଏହାକୁ ଭରଷା କରି ନ ପାରି ବଡ଼ ଭାଇଙ୍କୁ ନିଦରୁ ଉଠାଇ ଦେଖାଇଥିଲେ, ଆଉ ଏହି ସମୟରେ ଜ୍ୟାକପଟ୍ ଲାଗିବା ପରେ ମୁମ୍ବାଇରୁ ଆସିଥିଲା ଅନଲାଇନ୍ ଆପ୍ ମ୍ୟାନେଜରଙ୍କ ଫୋନ୍ କଲ୍। ୩ କୋଟି ଟଙ୍କା ସହ ମହେନ୍ଦ୍ରାର ଥାର୍ ଗାଡ଼ି ଜିତିବାକୁ ନେଇ ଗୁରୁଚରଣଙ୍କ ପାଖକୁ ଉଭୟ ଫୋନ୍ ଓ ଇ-ମେଲ ଦ୍ୱାରା ଅଭିନନ୍ଦନ ଆସିଥିଲା। ଜ୍ୟାକପଟ୍ ଲାଗିଥିବାରୁ ଖୁସିରେ ସପରିବାର ପାରମ୍ପରିକ ଆଦିବାସୀ ନୃତ୍ୟ ସହ କେକ୍ କାଟି ଖୁସି ମନାଇଛନ୍ତି।
ଅଧିକ ପଢନ୍ତୁ: ୫୦ ଲକ୍ଷ ବୁଡ଼ିଯିବା ପରେ ଜୀବନ ହାରିଲେ ବୃଦ୍ଧ ଦମ୍ପତି; ସୁଇସାଇଡ଼ ନୋଟରେ ଲେଖିଲେ ୩ ମାସର ନିର୍ଯ୍ୟାତନା କଥା