ଭୁବନେଶ୍ୱର : ଆସନ୍ତାକାଲି ପଞ୍ଚମ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଦୁଇ ଦିନ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ସାମିଲ ହେବାକୁ ଆସୁଛନ୍ତି ନରେନ୍ଦ୍ର ମୋଦୀ । ପିଏମ୍ ଏହି ସମ୍ମିଳନୀର ଉଦଘାଟନ କରିବା ସହ ସମ୍ବୋଧନ କରିବେ ।
ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ସମୟରେ ବିମାନବନ୍ଦରରୁ ଭୁବନେଶ୍ୱରର ରାଜ ଭବନ ପର୍ଯ୍ୟନ୍ତ ଏକ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହେବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ନୋ ଫ୍ଲାଇଂ ଜୋନ୍ ଘୋଷଣା ହୋଇଛି। କାଲି ପାଇଁ ନୋ ଡ୍ରୋନ୍ ଜୋନ୍/ନୋ ଫ୍ଲାଇଂ ଜୋନ୍ ଘୋଷଣା ହୋଇଛି। ଏୟାରପୋର୍ଟ-ରାଜଭବନ-ଜନତା ମୈଦାନ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ଏଠାରେ ପହଞ୍ଚିବା ପୂର୍ବରୁ କାର୍କେଡ୍ ରିହର୍ସାଲ୍ କରାଯାଇଛି। ବିମାନବନ୍ଦର ପରିସରରେ ଯେକୌଣସି ବ୍ୟକ୍ତିଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ରାଜ ଭବନ ସୁରକ୍ଷାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ଏବଂ ରୁଟ୍ ଲାଇନ୍ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି ।
୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ କାମ କରୁଛନ୍ତି ବିଜେପି ସରକାର । ଏ ଦିଗରେ ବଡ଼ ମୁଳଦୁଆ ପକାଇବ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ । ୫ ହଜାରରୁ ଅଧିକ ଶିଳ୍ପ ପ୍ରତିନିଧିଙ୍କର ହେବ ସମାବେଶ । ସାମିଲ ହେବେ ୫୦୦ ବିଦେଶୀ ପୁଞ୍ଜିନିବେଶକ। ଦୁଇ ଦିନ ଧରି ବଡ଼ ବଡ଼ ଶିଳ୍ପପତିଙ୍କ ଗହଣରେ ପ୍ରସ୍ତୁତ ହେବ ବିକଶିତ ଓଡିଶାର ରୋଡ଼ ମ୍ୟାପ୍ । ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆଇଟି, ଅକ୍ଷୟ ଶକ୍ତି, ବୟନ, କେମିକାଲ, ଫୁଡ ପ୍ରସେସିଂ ଭଳି ୫ଟି କ୍ଷେତ୍ରକୁ ଫୋକସ୍ କ୍ଷେତ୍ର ଭାବେ ଚୟନ କରାଯାଇଛି । ଅଷ୍ଟ୍ରେଲିଆ, ମ୍ୟାଲେସିଆ, ଜାପାନ, ଜର୍ମାନୀ, ପୋଲାଣ୍ଡ, କ୍ୟୁବା ଭଳି ୧୨ଟି ରାଷ୍ଟ୍ର 'କଣ୍ଟ୍ରି ଅଫ୍ ଫୋକସ' ରହିବାକୁ ନିମନ୍ତ୍ରଣ କରାଯାଇଛି । ଜାନୁଆରୀ ୨୮-୨୯ ଦୁଇ ଦିନରେ ୪ଟି ପ୍ଲେନାରୀ ସେସନ, ୧୬ଟି ସେକ୍ଟରାଲ୍ ସେସନ୍ ଓ ୪ଟି ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହେବ ।