ଭୁବନେଶ୍ୱର: ତାତିରୁ ନାହିଁ ତ୍ରାହି। ଦିନରେ କଲବଲ ରାତିରେ ଛଟପଟ ହେଉଛନ୍ତି ଓଡିଶା ବାସୀ। କାଳବୈଶାଖୀ ପରେ ଗ୍ରୀଷ୍ମ ପ୍ରବାହ ପୁଣି ଫେରିଛି। ତାତିରୁ ଆଉ ନାହିଁ ନିସ୍ତାର। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଏବେ ତାତି ପ୍ରକୋପ ଆହୁରି ବଢ଼ିବ । ପାଣିପାଗ ପୂର୍ବାନୁମାନ ଯାହା ପୂର୍ବାନୁମାନ କରିଥିଲା ଏବେ ତାତି ପ୍ରକୋପ ଆହୁରି ବଢ଼ିବ । ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ତାତି ତାଣ୍ତବ ଏହା ଆହୁରି ଦୁଇ ଦିନ ରହିବ। ଝାରସୁଗୁଡା ଜିଲ୍ଲାରେ ଗତକାଲି ୪୧ ଡିଗ୍ରୀ ସେଲସିୟସ୍ ପାର୍ କରିଥିବା ବେଳେ ୮ଟି ସହର ୪୦ ଡିଗ୍ରୀ ଡେଇଁଛି। ତାପମାତ୍ରା ଶନିବାର ୪୩ ଡିଗ୍ରୀ ଟପିପାରେ । ଉପକୂଳବର୍ତ୍ତୀ ଅଞ୍ଚଳରେ ବି ୪୦ ଡେଇଁବ । ଏହା ପରେ ବି ତାତିରୁ ବଡ଼ ଧରଣର ନିସ୍ତାର ଆଶା ଦେଖାଯାଉନି ।
ପାଣିପାଗ କେନ୍ଦ୍ର ସତର୍କ କରାଇଛି, ଆସନ୍ତା ଦୁଇ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ଉଭୟ ଦିନ ଓ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ। ଶୁକ୍ରବାର ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଝାରସୁଗୁଡ଼ା, ସମ୍ବଲପୁରରେ ପାରଦ ୪୨ ଡିଗ୍ରୀ ଛୁଇଁପାରେ । ପଶ୍ଚିମ ଓ ଆଭ୍ୟନ୍ତରଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୪୦-୪୧ ଡିଗ୍ରୀ ପାଖାପାଖି ରହିପାରେ। ଉପକୂଳରେ କଟକ, ଭୁବନେଶ୍ୱର, ଚାନ୍ଦବାଲିରେ ପାରଦ ୩୯ ଡିଗ୍ରୀ ରହିପାରେ । ଅନେକ ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ପାଖାପାଖି ହେବ।
ଶନିବାର ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ଲହରି ଛଟପଟ କରିପାରେ। ଝାରସୁଗୁଡ଼ା, ବଲାଙ୍ଗିରରେ ୪୩ ଡିଗ୍ରୀ ତାତିରେ ତ୍ରାହି ତ୍ରାହି ଡାକିବେ । ସୋନପୁର, ରାଉରକେଲା, ଟିଟିଲାଗଡ଼, ବୌଦ୍ଧ, ସମ୍ବଲପୁର, ଭବାନୀପାଟଣା, ସୁନ୍ଦରଗଡ଼ରେ ପାରଦ ୪୨ ଛୁଇଁବ । ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଅଞ୍ଚଳର କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଚାନ୍ଦବାଲିରେ ୪୦ ଡିଗ୍ରୀ ପହଞ୍ଚିପାରେ।
ରବିବାର (୩୦ ତାରିଖ) ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜନିତ ସତର୍କ ସୂଚନା ଜାରି କରାଯାଇଛି।ସୋମବାର ପଶ୍ଚିମରେ ତାତି ସାମାନ୍ୟ କମିଲେ ବି ୪୧ ଡିଗ୍ରୀରେ ଅନେକ ଅଞ୍ଚଳ ନାକେଦମ ହେବ । ଉପକୂଳରେ ତାତି ୩୭ରୁ ୩୯ ଡିଗ୍ରୀରେ କଲବଲ କରିବ । ମାର୍ଚ୍ଚ ୩୧ ଓ ଏପ୍ରିଲ ୧ରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ନାହିଁ । ୨ ତାରିଖରେ କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ହାଲୁକା ବର୍ଷା ହୋଇପାରେ । ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ଦୁଇ ସପ୍ତାହ ବିସ୍ତାରିତ ପୂର୍ବାନୁମାନ ଜାରି ହୋଇଛି। ଏପ୍ରିଲ ୩ରୁ ୯ ପର୍ଯ୍ୟନ୍ତ ପୂର୍ବ ଭାରତରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହିପାରେ ।