ଭୁବନେଶ୍ୱର: ‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆସିବ। ଏଥିଲାଗି ପୁଣି ତିଆରି ହେବ ସୁଭଦ୍ରା ଯୋଜନାର ଗାଇଡଲାଇନ୍। ଏନେଇ ଆଜି ଅପରାହ୍ଣ ୩ଟା ରେ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଆଉ ସୁଭଦ୍ରା ଯୋଜନାରେ ଖୁବ ଶୀଘ୍ର ତୃତୀୟ କିସ୍ତିର ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କେମିତି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯିବ,ସେନେଇ ନୂଆ ଗାଇଡ଼ ଲାଇନ ଉପରେ ବୈଠକରେ ଆଲୋଚନା କରାଯିବ । ସୁଭଦ୍ରା ଯୋଜନାରେ ଅଯୋଗ୍ୟ ଘୋଷିତ ୨ ଲକ୍ଷ ୬୭ ହଜାର ରିଜେକ୍ଟ ଲିଷ୍ଟ ଉପରେ ଏହି ବୈଠକରେ ଆଲୋଚନା ହେବ। ଆଉ କେଉଁ ଆଧାରରେ କେମିତି ସେମାନଙ୍କର ଭେରିଫିକେସନ୍ କରାଯିବ ସେନେଇ ନିଷ୍ପତ୍ତି ହେବ।
ଏହା ସହିତ ରିଜେକ୍ଟ ଲିଷ୍ଟ ଆବେଦନକାରୀଙ୍କ ଉପରେ ପୁନର୍ବିଚାର କରାଯିବ। ଏହାଛଡ଼ା ଖୁବ୍ ଶୀଘ୍ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଦୀପାବଳିରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଟଙ୍କା ମିଳିବ ବୋଲି କୁହାଯାଉଥିଲା । ତେବେ ଏଥିରେ ସାମାନ୍ୟ ବିଳମ୍ବ ଘଟିଛି । ଏହା ସହିତ ଅଯୋଗ୍ୟ, ହିତାଧିକାରୀଙ୍କ ଉପରେ ସରକାର ଆଲୋଚନା କରିବେ ।