ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ପୁଣି ଥରେ ମଧ୍ୟ ପ୍ରାଚ୍ୟରେ ବିପଦର ଘଣ୍ଟି ବଜାଇ ଦେଇଛି । ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲୀ ଖାମେନେଇ ଇସ୍ରାଏଲର ଆକ୍ରମଣର ଜବାବ ଦେବା ପାଇଁ ଦେଶର ସେନାକୁ ପ୍ରସ୍ତୁତ ରହିବାକୁ ଆଦେଶ ଦେଇଛନ୍ତି । ଖାମେନେଇ ଏହି ଆଦେଶ ସେହି ସମୟରେ ଜାରି କରିଛନ୍ତି ଯେତେବେଳେ ଇସ୍ରାଏଲ ଆକ୍ରମଣରେ ଇରାନର ଘଟିଥିବା କ୍ଷୟକ୍ଷତିର ବିସ୍ତୃତ ସୂଚନା ତାଙ୍କୁ ମିଳିଲା । ଇସ୍ରାଏଲ ଆକ୍ରମଣରେ କିଛି ଇରାନ ସୈନିକଙ୍କ ମୃତ୍ୟୁୁ ଘଟିଛି । ଖାମେନେଇ କହିଛନ୍ତି, ଇରାନକୁ ଏହି ଆକ୍ରମଣର ପ୍ରତିଶୋଧ ନେବା ଉଚିତ୍ । ନଚେତ୍ ଆମକୁ ଦୁର୍ବଳ ବୋଲି ସମସ୍ତେ ଭାବିବେ ।
ଖବର ଅନୁଯାୟୀ, ଇରାନ ଇସ୍ରାଏଲର କେଉଁ କେଉଁ ଠିକଣା ଉପରେ ଆକ୍ରମଣ କରିବ ସେ ନେଇ ପ୍ରସ୍ତୁତି ଚଳାଇଛି । ଇରାନ ଏହି ଆକ୍ରମଣ ଇରାକ ରାସ୍ତାରେ ସ୍ଥିତ ନିଜ ସୈନିକଙ୍କ ଜରିଆରେ କରାଇପାରେ । କୁହାଯାଉଛି ଇରାନ ଏମିତି ଏକ ରଣନୀତି ଉପରେ କାମ କରୁଛି ଯଦ୍ୱାରା ଇସ୍ରାଏଲକୁ ବ୍ୟାପକ କ୍ଷତି ପହଞ୍ଚାଯାଇ ପାରିବ ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି, ଇସ୍ରାଏଲର ସୁରକ୍ଷା ପ୍ରତି ତାଙ୍କ ନୀତିରେ କୌଣସି କୋହଳ ରହିବ ନାହିଁ । ନେତନ୍ୟାହୁଙ୍କ ମତରେ ଆମର ଉଦ୍ଦେଶ୍ୟ ଇରାନକୁ ଆଣବିକ ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ପହଞ୍ଚିବାରେ ରୋକା ଯାଉ । ଆମେ ଇରାନରେ ସେହି ସ୍ଥାନରେ ଆକ୍ରମଣ କରିଛୁ ଯାହା କେବେ ଇରାନ ଆଶା କରି ନ ଥିଲା । ତେବେ ଇରାନ ଏହାର ଜବାବ ଦେବାକୁ ପ୍ରସ୍ତୁତି ଚଳାଇଛି ।
ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରି ଏମିତି କ୍ଷତି ପହଞ୍ଚାଇବାକୁ ଚାହୁଁଛି ଯେମିତି ତାହା ପିଢି ପରେ ପିଢି ମେନ ରହିବ । ଏହା ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ମଧ୍ୟ ନିଜ ଦେଶର ସୈନିକଙ୍କୁ ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି । ଏହି ସବୁ ଘଟଣାକ୍ରମ ମଧ୍ୟ ପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ଆଶଙ୍କାକୁ ବଢାଇ ଦେଇଛି ।