ତାଇପେଇ: ସାମୁଦ୍ରିକ ବାତ୍ୟା କାଙ୍ଗ-ରେ ତାଇୱାନରେ ପ୍ରଳୟ ଆଣିଛି। ଏହି ସାମୁଦ୍ରିକ ଝଡ ଗୁରୁବାର ତାଇୱାନର ପୂର୍ବ ଉପକୂଳରେ ଖୁବ କ୍ଷୟକ୍ଷତି କରିବା ସହ ତୀବ୍ର ପବନ ଓ ପ୍ରଚୁର ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଯାହାଦ୍ୱାରା ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ବାତ୍ୟା ପାଇଁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଗୁଡ଼ିକରୁ ପ୍ରାୟ ୧୦,୦୦୦ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି।
ତାଇୱାନ ଉପକୂଳରେ ଏହି ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଛୁଇଁଥିବା ବେଳେ ଏହା ତାଇତୁଙ୍ଗ ପ୍ରାନ୍ତ ମୁହାଁ ହୋଇଥିଲା। ଏହି ସମୟରେ ପବନର ବେଗ ପ୍ରାୟ ଘଣ୍ଟାପ୍ରତି ୧୮୦ କିମି ରହିଥିଲା ବୋଲି ପ୍ରକାଶ କରାଯାଇଛି। ତେବେ ଏହି ସାମୁଦ୍ରିକ ଝଡ଼ରେ ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ ୨୫୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ବିବରଣୀ ଆନ୍ତର୍ଜାତିକ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଏହା ପ୍ରଭାବରେ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡିଛି।
ସୂଚନାଯୋଗ୍ୟ ସାମୁଦ୍ରିକ ଝଡ କାଙ୍ଗ-ରେ ପାଇଁ ଗୁରୁବାର ଟ୍ରେନ ଚଳାଚଳ ବାତିଲ ହୋଇଛି। ଏହା ସହ ୨୯୮ଟି ବିମାନ ଚଳାଚଳ ମଧ୍ୟ ବନ୍ଦ ରହିଛି।