ନୂଆଦିଲ୍ଲୀ: ହମାସ ଓ ହେଜବୁଲ୍ଲା ସହିତ ସିଧା ଲଢେଇ ଲଢୁଥିବା ଇସ୍ରାଏଲ ଇରାନ ସହିତ ମଧ୍ୟ ଶତ୍ରୁତା ବଢି ଯାଇଛି । ଦୁଇ ଦେଶ ପରସ୍ପର ବିରୋଧରେ ଆକ୍ରମଣ କରିବାକୁ ଧମକ ଦେଇ ଚାଲିଛନ୍ତି । ଅକ୍ଟୋବର ୧ରେ ଇରାନର ଆକ୍ରମଣ ଜବାବରେ ଇସ୍ରାଏଲ ଇରାନର ସୈନ୍ୟ ଠିକଣାକୁ ଦୋହଲାଇ ଦେଇଥିଲା । ତେବେଠୁ ଇରାନ ଓ ଇସ୍ରାଏଲ ମଧ୍ୟରେ ଆଉ ଏକ ସଂଘର୍ଷର ସମ୍ଭାବନା ବଢି ଯାଇଛି ।
ଗୁରୁବାର ଇରାନ ଇସ୍ରାଏଲ ଉପରେ ନିର୍ଣ୍ଣାୟକ ଓ ବହୁତ ଭୟାନକ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି । ଇରାନ ସୂତ୍ର ଅନୁଯାୟୀ, ଇସ୍ରାଏଲ ଉପରେ ଏମିତି ଭୟାନକ ଆକ୍ରମଣ କରାଯିବ ଯେମିତି ପିଢି ପରେ ପିଢି ମନେ ରଖିବେ । ଏହି ଆକ୍ରମଣ ଆମେରିକାରେ ଆଗାମୀ ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ହୋଇପାରେ ।
ସିଏନଏନ ଅନୁଯାୟୀ, ଇରାନ ନିଜର କ୍ଷେତ୍ର ଉପରେ ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ଉପରେ ସାଂଘାତିକ ଆକ୍ରମଣ କରିବାକୁ ପ୍ରସ୍ତୁତି କରି ସାରିଛି । ଏହି ଆକ୍ରମଣ ସମ୍ଭବତଃ ନଭେମ୍ବର ୫ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ହୋଇପାରେ । ଇସ୍ରାଏଲ ମଧ୍ୟ ଜାଣିଛି ଯେ, ଇରାନ ଜୋରଦାର ଜବାବ ଦେବାକୁ ପ୍ରସ୍ତୁତ । ଏଥିପାଇଁ ଗତ ସପ୍ତାହରେ ବେଞ୍ଜାମିନ ନେତନ୍ୟାହୁ ଓ ତାଙ୍କ କ୍ୟାବିନେଟ୍ ସୁରକ୍ଷାକୁ ନେଇ ନୂଆ ଆଇନ ପାରିତ ହୋଇଛି ।
ଏହା ଅନୁସାରେ କେବଳ ବୈଠକରେ ମନ୍ତ୍ରୀମାନେ ରହିବେ । ଏଥିରେ କୌଣସି ପରାମର୍ଶଦାତା ଯୋଗ ଦେବେ ନାହିଁ । ଗତ ଦିନରେ ନେତନ୍ୟାହୁଙ୍କ ଘର ଉପରେ ଡ୍ରୋନ ଆକ୍ରମଣ ପରେ ଇସ୍ରାଏଲର ନିଜର ଶୀର୍ଷ ଅଧିକାରୀଙ୍କ ସୁରକ୍ଷା ବଢାଇ ଦେଇଛି । ଇସ୍ରାଏଲ ମଧ୍ୟ ତେହରାନକୁ ଚେତାବନୀ ଦେଇଛି ଯେ, ଇରାନ ପ୍ରତିଜବାବ ଦେଲେ ଏହାର ମୁହଁତୋଡ ଜବାବ ଦିଆଯିବ ।