ନୂଆଦିଲ୍ଲୀ: ଆମେରିକାରେ ହ୍ୱାଇଟ୍ ହାଉସରେ ଦୀପାବଳି ଉତ୍ସବ ପାଳନ କରାଯାଉଛି । ବାରାକ ଓବାମା, ଟ୍ରମ୍ପଙ୍କଠୁ ନେଇ ଜୋ ବାଇଡେନଙ୍କ ପର୍ଯ୍ୟନ୍ତ ଯିଏ ବି ରାଷ୍ଟ୍ରପତି ରହିଛନ୍ତି, ସମସ୍ତେ ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ କରିଛନ୍ତି । କେବଳ ଏତିକି ନୁହେଁ ଏଥର ସ୍ଥାନୀୟସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ନେତାମାନେ ମଧ୍ୟ ଯୋଗ ଦେଉଛନ୍ତି । ମାତ୍ର ଏଥର ପ୍ରଥମ ଥର ନ୍ୟୁୟର୍କରେ ଦୀପାବଳି ଦିନ ସ୍କୁଲ ବନ୍ଦ ରହିବ । ନ୍ୟୁୟର୍କ ସିଟିର ମେୟର କାର୍ଯ୍ୟାଳୟରେ ଡେପୁଟି କମିଶନର ଭାବେ କାମ କରୁଥିବା ଦିଲୀପ ଚୌହାନ ଏହାର ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଏଥର ଦୀପାବଳି ସ୍ୱତନ୍ତ୍ର ରହିଛି । ଇତିହାସରେ ପ୍ରଥମ ଥର ନ୍ୟୁୟର୍କରେ ଦୀପାବଳି ଦିନ ସ୍କୁଲ ବନ୍ଦ ରହିବ । ଶୁକ୍ରବାର ନଭେମ୍ବର ୧ ତାରିଖ ଦୀପାବଳି ଯୋଗୁଁ ସ୍କୁଲ ଛୁଟି ରହିବ । ନ୍ୟୁୟର୍କରେ ଏମିତି ନିଷ୍ପତ୍ତି ନେବା ସହଜ ନ ଥିଲା । କାରଣ ଏଠାରେ ୧୧ ଲକ୍ଷ ଛାତ୍ର-ଛାତ୍ରୀ ରହିଛନ୍ତି । ତେବେ ହିନ୍ଦୁ ସମୁଦାୟର ଅନେକ ନେତା କିଛି ବର୍ଷ ପୂର୍ବେ ଏହାକୁ ନେଇ ଅଭିଯାନ ଚଳାଇଥିଲେ । ଦୀପାବଳିରେ ଏମିତି ଛୁଟି ଦେବାକୁ ସେମାନେ ଦାବି କରିଥିଲେ । ଆଉ ଏଥର ନ୍ୟୁୟର୍କ ସିଟିର ମେୟର ଏରିକ ଆଡମସ ଏହାକୁ ସ୍ୱୀକାର କରିଛନ୍ତି । ଏବେ ପ୍ରଶାସନ ନଭେମ୍ବର ୧ ତାରିଖକୁ ଦୀପାବଳି ଛୁଟି ଘୋଷଣା କରିଛନ୍ତି ।
ଚୌହାନ କହିଛନ୍ତି, ଏ ପର୍ଯ୍ୟନ୍ତ ଛାତ୍ର-ଛାତ୍ରୀମାନଙ୍କୁ ଏହା ଚୟନ କରିବା ମୁସ୍କିଲ ହେଉଥିଲା ଯେ, ଦୀପାବଳି ପାଳନ କରିବେ ନା ସ୍କୁଲ ଯିବେ । ଏମିତିରେ ବି ଦୀପାବଳି କେବଳ ଗୋଟିଏ ଦିନର ନୁହେଁ ଏବଂ ୫ ଦିନର ପର୍ବ । ଏହି ଦୃଷ୍ଟିରୁ ହିନ୍ଦୁ ସମୁଦାୟଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏବେ ହିନ୍ଦୁମାନେ ଆରାମରେ ଦୀପାବଳି ପାଳନ କରି ପାରିବେ ।