ଭୁୁବନେଶ୍ୱର: ନବୀନଙ୍କୁ ହାରିବାକୁ କଣ୍ଟାବାଞ୍ଜି ପଠାଯାଇଥିଲା । ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସଙ୍କ ବଡ ବୟାନ । ନବୀନଙ୍କୁ ହରାଇ ଭିକେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଷଡଯନ୍ତ୍ର ଚାଲିଥିବା ସେ କହିଛନ୍ତି । କାହିଁକି ନବୀନ ପଟ୍ଟନାୟକଙ୍କୁ କଣ୍ଟାବାଞ୍ଜି ସିଟରେ ଲଢାଗଲା ଏବଂ ଏହା ପଛର ସମୀକରଣ ମଧ୍ୟ କହିଛନ୍ତି ଦେବେନ୍ଦ୍ର ।
ସେ କହିଛନ୍ତି, ୨୦୧୯ରେ କଣ୍ଟାବାଞ୍ଜିରେ ଲକ୍ଷ୍ମଣ ବାଗ ମାତ୍ର ୧୨୬ ଭୋଟରେ ହାରିଥିଲେ । କଣ୍ଟାବାଞ୍ଜିରେ ଯାଦବ ଭୋଟରଙ୍କ ସଂଖ୍ୟା ପ୍ରାୟ ୯୩ ହଜାର । ଏଭଳି ଅବସ୍ଥାରେ ନବୀନଙ୍କୁ ସେଠାରେ ପ୍ରାର୍ଥୀ କରିବାର ନ ଥିଲା । ଯାଦବ ଭୋଟ୍ ସର୍ବଦା ବିଜେପି ଆଡେ ଢଳିଥାନ୍ତି । କିନ୍ତୁ ଚକ୍ରାନ୍ତ କରାଯାଇ ନବୀନଙ୍କୁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ କରାଯାଇଥିଲା । ନବୀନ ହାରନ୍ତୁ ଓ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଏହା ହିଁ ଚକ୍ରାନ୍ତ ଥିଲା । ସେଥିପାଇଁ ନିର୍ବାଚନ ସମୟରେ ପାଣ୍ଡିଆନ ହିଁ ପ୍ରଚାର ମଙ୍ଗ ସମ୍ଭାଳୁଥିଲେ । ଅନ୍ୟ ନେତାଙ୍କୁ ମଞ୍ଚରେ ସୁଯୋଗ ବି ଦିଆଯାଉ ନ ଥିଲା ।
ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନ ହିଞ୍ଜିଳି ସହ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିଥିଲେ । ଦଳ ଆଶା କରିଥିଲା ନବୀନଙ୍କ ଜରିଆରେ ପଶ୍ଚିମ ଓଡିଶାରେ ବିଜେଡି ଆହୁରି ଭଲ ପ୍ରଦର୍ଶନ କରିବ । କିନ୍ତୁ ଓଲଟା ନବୀନ ବାବୁଙ୍କୁ ହିଁ କଣ୍ଟାବାଞ୍ଜିରୁ ନିଜ ରାଜନୈତିକ କ୍ୟାରିୟରରେ ପ୍ରଥମ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା । ବିଜେପିର ପ୍ରାର୍ଥୀ ଲକ୍ଷ୍ମଣ ବାଗ ପ୍ରାୟ ୧୫ ହଜାର ଭୋଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇଥିଲେ ।