କେନ୍ଦ୍ରାପଡ଼ା: ଜନତାଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବାକୁ ଲଗାଯାଇଥିବା ତୋରଣକୁ ରାତି ଅଧରେ ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ପାଇଁ ପାଟକୁରା ନିର୍ବାଚନ ମଣ୍ଡଳୀ ତଳକୁସୁମା ଗାଁ ଚାରିଛକ ଠାରେ ଲଗାଯାଇଥିବା ଭାରତୀୟ ଜନତା ପାର୍ଟିର ତୋରଣକୁ ପୋଡ଼ି ଦିଆଯାଇଛି । ଏହି ତୋରଣ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ାଙ୍କର ଥିଲା । ଏ ନେଇ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି ନିଜେ ମୁଖପାତ୍ର ଶ୍ରୀଯୁକ୍ତ ପରିଡ଼ା । ଅସହିଷ୍ଣୁତାର ସୀମା ନାହିଁ, ମହାପ୍ରଭୁ ବଳଦେବଜୀଉ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ପରିଡ଼ା ।
ତଳକୁସୁମା ଗାଁ ମୁଣ୍ଡରେ ଲଗାଯାଇଥିବା ତୋରଣରେ ବିଜେପିର ତୁଙ୍ଗ ନେତାଙ୍କ ଫଟୋ ରହିଥିଲା । ତେଜେଶ୍ୱର ପରିଡ଼ାଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମାନ୍ୟବର ଅମିତ ଶାହା, ଜେପି ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ମନମୋହନ ସାମଲ, କେଭି ସିଂଦେଓ ଓ ପ୍ରଭାତି ପରିଡ଼ାଙ୍କର ଫଟୋ ରହିଥିଲା । ତୋରଣକୁ ଡିସେମ୍ବର ୩୧ ତାରିଖ ରାତିରେ ଲଗାଯାଇଥିଲା । ମାତ୍ର ତୋରଣ ଲଗାଯିବାର ମାତ୍ର କେଇ ଘଣ୍ଟା ପରେ ସେଥିରେ ନିଆଁ ଲଗାଇଦିଆଯାଇଥିଲା ।
ନୂତନ ବର୍ଷ ୨0୨୫ରେ ଏଭଳି ଅସହିଷ୍ଣୁତା, ଗୁଣ୍ଡାରାଜ, ହିଂସା, ରାଜନୈତିକ ଆକ୍ରୋଶ ଛାଡ଼ି ଶାନ୍ତି, ସୌହାର୍ଦ୍ଦ୍ୟ ଓ ନିଷ୍ଠାର ପାଟକୁରାର ବିକାଶ ପାଇଁ କାମ କରିବାକୁ ତେଜେଶ୍ୱର ପରିଡ଼ା ନିବେଦନ କରିଛନ୍ତି । ଏହା ସହିତ ‘ନୂତନ ବର୍ଷର ଅଭିନନ୍ଦନ’ ତୋରଣ ଜାଳି ବ୍ୟାନର ପୋଡ଼ି ହୋର୍ଡିଂ ଚୋରି କରି କେହି ପାଟକୁରାବାସୀଙ୍କ ହୃଦୟରେ ସ୍ଥାନ ପାଇପାରିବେ ନାହିଁ ବୋଲି କହିଛନ୍ତି ତେଜେଶ୍ୱର ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ଆଳି ବଜାରରେ ମଧ୍ୟ ତୋରଣ ଲଗାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୋଟିଏ ସ୍ଥାନରେ ତୋରଣ ଲଗାଇବାକୁ ନେଇ ବିଜେପି ଓ ବିଜେଡି କର୍ମୀମାନେ ମୁହାଁମୁହିଁ ହୋଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ଧାରା ୧୬୩ ଲାଗୁ କରାଯାଇଛି ।