ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ତିନି ଦିନିଆ କୃଷି ଓଡ଼ିଶା-୨୦୨୫କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ଟାର୍ଗେଟ୍ କରିଛନ୍ତି । ବିଗତ ସରକାର ମିଶନ୍ ପରେ ମିଶନ୍ କଲେ କିନ୍ତୁ ଫଳାଫଳ ମିଳିନି ବୋଲି କହିଛନ୍ତି ମୋହନ ।
ମୁଖ୍ୟମନ୍ତ୍ରୀ କହିଛନ୍ତି , ପୂର୍ବ ସରକାର କାମ କମ କରି ଅଧିକ ପ୍ରଚାର କରୁଥିଲେ । ଭୋଟ୍ ବ୍ୟାଙ୍କ ତିଆରି କରିବା ପାଇଁ ଚାଷ ଓ ଚାଷୀଙ୍କୁ ଠକିଛନ୍ତି । ବର୍ତ୍ତମାନ ସରକାର ଚାଷୀଙ୍କ ସହ ଅଛନ୍ତି । ଦୁଇ ଦଶନ୍ଧି ଧରି କେବଳ ଧାନରେ ସ୍ୱାବଲମ୍ୱୀ ଓଡିଶା । ଅନ୍ୟ କୌଣସି କ୍ଷେତ୍ରରେ ଆମେ ସ୍ୱାବଲମ୍ୱୀ ନୁହେଁ । ପିଆଜ ପାଇଁ ମହାରାଷ୍ଟ୍ର, ଟମାଟୋ ପାଇଁ କର୍ଣ୍ଣାଟକ ଭରସା । ମାଛ ଅଣ୍ଡା ପାଇଁ ଆନ୍ଧ୍ରପ୍ରଦେଶ ଭରସା । ସେମାନେ ନଦେଲେ ଆମେ କିଛି ଖାଇପାରିବୁନି । ମଧ୍ୟାହ୍ନ ଭୋଜନରେ ପିଲାଏ ଅଣ୍ଡା ଖାଇପାରିବେନି । ଆଳୁ ମିଶନ କଲେ, ପଣସ ମିଶନ କଲେ, କିନ୍ତୁ ରେଜଲ୍ଟ ନାହିଁ । ଅପରେସନ ସକ୍ସେସ ଫୁଲ ବଟ୍ ପେସେଣ୍ଟ ଡେଡ୍ ବୋଲି କହି କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଳୁ ପାଇଁ ପଶ୍ଚିମବଙ୍ଗ ନାଲି ଆଖି ଦେଖାଉଛି । ମମତା ଦିଦିଙ୍କର ଆମ ପ୍ରତି ଆଉ ମମତା ନାହିଁ ।
ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଲେ କିନ୍ତୁ କେତେ ଶୀତଳଭଣ୍ଡାର ହୋଇଛି ତାହା ଆପଣମାନେ ଦେଖୁଛନ୍ତି । ଆପଣ ଚାଷୀଙ୍କ ଆଶା ଆକାଂକ୍ଷା ପୂରଣ କଲେ ନାହିଁ, ତେଣୁ ସେମାନେ ଆପଣଙ୍କୁ ବିରୋଧୀ ଦଳରେ ବସାଇଦେଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।