ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଆସୁଥିବାରୁ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ଗୋଟିଏ ପରେ ଗୋଟିଏ ନିର୍ବାଚନୀ ଥୋପ ପକାଇବାରେ ପୂରା ବ୍ୟସ୍ତ ରହିଛି । ମହିଳାଠାରୁ ଆରମ୍ଭ କରି ବୟସ୍କଙ୍କୁ ଖୁସି କରିବାକୁ ଆପ୍ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛି । ଆଜି ପୁଣି ଗୋଟିଏ ବଡ଼ ଘୋଷଣା କରିଛି ଆପ୍ ଦଳ । ପୂଜାରୀ ଏବଂ ଗ୍ରନ୍ଥୀ ସମ୍ମାନ ଯୋଜନା ଘୋଷଣା କରିଛି ଆପ୍ । ଏଥିପାଇଁ ତୁରନ୍ତ ନାମ ପଞ୍ଜିକରଣ କରିବାକୁ ଦଳର ସଭାପତି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।
କେଜ୍ରିୱାଲ ମନ୍ଦିର ପୂଜାରୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଘୋଷଣା କରି କହିଛନ୍ତି, ମନ୍ଦିରର ପୂଜାରୀ, ଲୋକଙ୍କ ଘରେ ପୂଜା କରୁଥିବା ପୂଜାରୀ ଏବଂ ଗୁରୁଦ୍ୱାରରେ ରହୁଥିବା ଗ୍ରନ୍ଥୀଙ୍କ ପାଇଁ ବିଶେଷ ଘୋଷଣା କରିଛନ୍ତି । ପୂଜାରୀ ଏବଂ ଗ୍ରନ୍ଥୀ ସମ୍ମାନ ଯୋଜନାରେ ପୂଜାରୀମାନଙ୍କୁ ମାସିକ ମିଳିବ ୧୮,୦୦୦ଟଙ୍କାର ବେତନ । ସେ କହିଛନ୍ତି ପୂଜାରୀମାନେ ଆମର ସୁଖ ଦୁଃଖରେ କାମରେ ଆସନ୍ତି । ବିବାହଠାରୁ ଆରମ୍ଭ କରି ଶ୍ରାଦ୍ଧ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ଆମ ସାଥିରେ ରହୁନ୍ତି, କିନ୍ତୁ ତାଙ୍କ ଉପରକୁ କାହାର ଦୃଷ୍ଟି ଯାଉନି । ସେଥିପାଇଁ ଯଦି ଦିଲ୍ଲୀରେ ଆମ ଆଦମୀ ପାର୍ଟର ସରକାର ଆସେ ତେବେ ଗୁରୁଦ୍ୱାରର ଗ୍ରନ୍ଥୀ ଏବଂ ପୂଜାରୀମାନଙ୍କୁ ପ୍ରତ୍ୟେକ ମାସରେ ୧୮,୦୦୦ ଟଙ୍କା ଦରମା ଦେବେ ସରକାର ।
ଏହା ଦେଶରେ ପ୍ରଥମ ବୋଲି ସେ କହିଛନ୍ତି । ତେଣୁ ଆସନ୍ତାକାଲିଠାରୁ ନାମ ପଞ୍ଜିକରଣ କରିବାକୁ କେଜ୍ରିୱାଲ କହିଛନ୍ତି । ଆସନ୍ତାକାଲି କେଜ୍ରିୱାଲ ନିଜେ କନାଂଟ ହନୁମାନ ମନ୍ଦିରର ଯାଇ ପୂଜାରୀଙ୍କ ନାମ ପଞ୍ଜିକରଣ କରିବାକୁ ଯିବେ ବୋଲି ସୂଚନା ଦେଇଛନ୍ତି । ଏହାରି ମଧ୍ୟରେ ସେ ବିଜେପିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । କହିଛନ୍ତି ଯଦି ବିଜେପି ଏହାକୁ ବିରୋଧ କରେ ତେବେ ତାଙ୍କୁ ପାପ ଲାଗିବ ବୋଲି କେଜ୍ରିୱାଲ କହିଛନ୍ତି ।
ଏହା ପୂର୍ବରୁ ଆପ୍ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିବା ସହିତ ମହିଳାଙ୍କୁ ସହାୟତା ରାଶି ଦେବକୁ ଘୋଷଣା କରିଛି ।