ନୂଆଦିଲ୍ଲୀ: ମନମୋହନ ସିଂଙ୍କ ଅସ୍ଥି ବିସର୍ଜନ ସମୟରେ କଂଗ୍ରେସର କୌଣସି ବଡ ନେତା ଉପସ୍ଥିତ ନ ଥିଲେ । ଏହାକୁ ନେଇ ବିଜେପି ଶାଣିତ ସ୍ୱରରେ ଦେଶର ଏହି ପୁରାତନ ରାଜନୈତିକ ପାର୍ଟିକୁ ସମାଲୋଚନା କରିଥିଲା । ଏବେ କଂଗ୍ରେସ ଏହା ଉପରେ ସଫେଇ ଦେଇଛି । ଦଳ କହିଛି, ପରିବାରର ବ୍ୟକ୍ତିଗତକୁ ସମ୍ମାନ ଜଣାଇ ପାର୍ଟିର କୌଣସି ବରିଷ୍ଠ ନେତା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅସ୍ଥି ବିସର୍ଜନ ସମୟରେ ପରିବାର ସହ ଯାଇ ନ ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ଅସ୍ଥି ବିସର୍ଜନ ତାଙ୍କ ପରିବାରର ସଦସ୍ୟ ଶିଖ ରୀତି ନୀତି ଅନୁସାରେ ଗୁରୁଦ୍ୱାରେ ନିକଟ ଯମୁନା ନଦୀରେ କରିଥିଲେ ।
ଏହି ସମୟରେ କଂଗ୍ରେସର କୌଣସି ବଡ ନେତା ନ ଯିବାକୁ ଲଜ୍ଜାଜନକ କହିଛି ବିଜେପି । କଂଗ୍ରେସ କହିଛି ପରିବାରର ବ୍ୟକ୍ତିଗତକୁ ସମ୍ମାନ ଜଣାଇ ପାର୍ଟିର କୌଣସି ବଡ ନେତା ମନମୋହନଙ୍କ ଅସ୍ଥି ବିସର୍ଜନକୁ ଯାଇ ନାହାନ୍ତି । ଦିବଙ୍ଗତ ନେତାଙ୍କ ଏହି ରୀତି ନୀତି ସଂପନ୍ନ ପରେ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ବାସଭବନ ଯାଇ ପରିବାକୁ ଭେଟିଥିଲେ ।
କଂଗ୍ରେସର ଜନୈକ ବରିଷ୍ଠ ନେତା କହିଛନ୍ତି, ଅନ୍ତିମ ସଂସ୍କାର ସମୟରେ ପରିବାରକୁ ବ୍ୟକ୍ତିଗତ ଭାବେ କିଛି ମିଳି ପାରି ନ ଥିଲା । ଏପରିକି ପରିବାରର କିଛି ସଦସ୍ୟ ଚିତା ସ୍ଥଳ ନିକଟରେ ପହଞ୍ଚି ପାରି ନ ଥିଲେ । ଏଥିପାଇଁ ଅସ୍ଥି ବିସର୍ଜନ ପାଇଁ ପରିବାରକୁ କିଛି ତ ବ୍ୟକ୍ତିଗତ ସମୟ ଦେବା ଉଚିତ ।
ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଡିସେମ୍ବର ୨୬ରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ତାଙ୍କ ନିଧନ ପରେ ଅନ୍ତିମ ସଂସ୍କାର ସ୍ଥଳକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୀତି ଜୋର ଧରିଥିଲା ।