ମୁମ୍ବାଇ: ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ବି ଭାରତୀୟ ବ୍ୟାଟରଙ୍କ ନିରାଶଜନକ ପ୍ରଦର୍ଶନ ଜାରି ରହିଛି । ମୁମ୍ବାଇରେ ଖେଳା ଯାଉଥିବା ତୃତୀୟ ତଥା ଶେଷ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୩୬ ରନରେ ଅଲଆଉଟ୍ ହୋଇଛି । ଏହାର ଜବାବରେ ଭାରତ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୮୬ ରନରେ ୪ ୱିକେଟ୍ ହରାଇ ସଙ୍କଟରେ ପଡିଛି । ଦଳର ପ୍ରଦର୍ଶନକୁ ଦେଖିଲେ ତୃତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ରହିପାରେ । କ୍ରିଜରେ ଶୁଭମନ ଗିଲ ୩୧ ରନ ଓ ଋଷଭ ପନ୍ତ ୧ ରନ କରି ଅପରାଜିତ ଅଛନ୍ତି । ପ୍ରଥମ ଦିନରେ ସ୍ପିନରଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି ।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୩୫ ରନରେ ଅଲଆଉଟ୍ ହେବା ପରେ ଭାରତ ନିଜର ଇନିଂସ ଆରମ୍ଭ କରିଥିଲା । ଆଶା କରାଯାଉଥିଲା ଦଳ ଭଲ ଆରମ୍ଭ କରି ଲିଡ୍ ନେବା ପାଇଁ ମୂଳଦୁଆ ପକାଇବ । ହେଲେ ଏହି ସିିରିଜରେ ଲଗାତାର ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ନିରାଶ କରିଛନ୍ତି । ରୋହିତ ୧୮ ରନ କରି ଆଉଟ୍ ହୋଇଥିବା ବେଳେ ବିରାଟ କୋହଲି ୪ ରନ କରି ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଛନ୍ତି । ଓପନର ଯଶସ୍ୱୀ ଜୟସ୍ୱାଲ ୩୦ ରନ କରିଥିଲେ ହେଁ ଇନିଂସକୁ ଆଗକୁ ନେଇ ପାରି ନାହାନ୍ତି ।
ନାଇଟ୍ ୱାଚ୍ ମ୍ୟାଚ୍ ଭାବେ କ୍ରିଜକୁ ଆସିଥିବା ମହମ୍ମଦ ସିରାଜ ପ୍ରଥମ ବଲରେ ହିଁ ଆଉଟ୍ ହୋଇଛନ୍ତି । ଶୁଭମନ ଗିଲ୍ ୩୧ ରନ କରି ଭଲ ବ୍ୟାଟିଂ କରିଛନ୍ତି । ପନ୍ତ ଏକ ରନ କରି କ୍ରିଜରେ ଅଛନ୍ତି । ଦ୍ୱିତୀୟ ଦିନରେ ଗିଲ, ପନ୍ତ, ସରଫରାଜ, ଜାଡେଜା ଓ ଅଶ୍ୱିନଙ୍କ ଉପରେ ଭାରତୀୟ ଇନିଂସ ବହୁତ ନିର୍ଭର କରୁଛି । ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ୍ ଦୁଇଟି ୱିକେଟ୍ ନେଇଥିବା ବେଳେ ମ୍ୟାଟ୍ ହେନେରୀ ଗୋଟିଏ ନେଇଛନ୍ତି ।
ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦଳ ଭାରତୀୟ ଦୁଇ ସ୍ପିନର ରବୀନ୍ଦ୍ରା ଜାଡେଜା ଓ ୱାଂଶିଟନ ସୁନ୍ଦରଙ୍କ ମୁକାବିଲା କରି ପାରିନ ଥିଲେ ଭ୍ରମଣକାରୀ ବ୍ୟାଟର । ଦଳ ୨୩୫ ରନରେ ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ ଡାରିଲ ମିଚେଲ୍ ସର୍ବାଧିକ ୮୨ ରନ କରିଥିବା ବେଳେ ୱିଲ ୟଙ୍ଗ ୭୧ ରନ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୬୫ ରନ ଦେଇ ୫ ୱିକେଟ ନେଇଥିବା ବେଳେ ୱାଂଶିଟନ ସୁନ୍ଦର ୮୧ ରନରେ ୪ ୱିକେଟ୍ ସଫଳତା ହାସଲ କରିଛନ୍ତି । ଆକାଶ ଦୀପଙ୍କୁ ଗୋଟିଏ ୱିକେଟ୍ ମିଳିଛି ।