ନୂଆଦିଲ୍ଲୀ: ଇସ୍ରାଏଲର ଘନ ଘନ ଆକ୍ରମଣରେ ବିଚଳିତ ଲେବାନନର ଉଗ୍ରବାଦୀ ସଂଗଠନ ହେଜବୁଲ୍ଲା ଆତ୍ମ ସମର୍ପଣ କରିବା ମୁଡରେ ରହିଛି । ହେଜବୁଲ୍ଲାର ନୂଆ ପ୍ରମୁଖ ନଇମ କାସିମ ବୁଧବାର ଏହାର ସଙ୍କେତ ଦେଇଛନ୍ତି । ସେ କହିଛନ୍ତି, ଯଦି ଅଫର ମିଳେ ତେବେ ସର୍ତ୍ତ ଆଧାରରେ ଯୁଦ୍ଧ ବିରାମ ଉପରେ ସହମତି ହୋଇ ପାରୁ । ଉଲ୍ଲେଖନୀୟ ଇସ୍ରାଏଲ ସେନା ହେଜବୁଲ୍ଲାର ଠିକଣାରେ ଆକ୍ରମଣକୁ ଆହୁରି ଜୋରଦାର କରିଛି ।
ଗତ ମାସରେ ହସନ ନସରଲ୍ଲାଙ୍କ ହତ୍ୟା ପରେ ହେଜବୁଲ୍ଲାର ନେତୃତ୍ୱ ସମ୍ଭାଳିଥିବା କାସିମ କହିଛନ୍ତି, ହେଜବୁଲ୍ଲା ଦୀର୍ଘ ସମୟ ପର୍ଯ୍ୟନ୍ତ ଇସ୍ରାଏଲର ସୈନ୍ୟ ଆକ୍ରମଣର ପ୍ରତିରୋଧ କରିବାକୁ ପ୍ରସ୍ତୁତ । ଏହା ବାଦ ଇସ୍ରାଏଲ ଦ୍ୱାରା ବିଶ୍ୱସନୀୟ ପ୍ରସ୍ତାବ ଆସିଲେ ତା ଉପରେ ଆଲୋଚନା କରାଯାଇ ଯୁଦ୍ଧ ବିରାମର ସମ୍ଭାବନାକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି । ଅଲ ଜଦିଦ ସହିତ ଏକ ସାକ୍ଷାତକାର ସମୟରେ ସେ କହିଛନ୍ତି, ଯଦି ଇସ୍ରାଏଲ ଏହା ସ୍ଥିର କରେ ଯେ ଆକ୍ରମଣ ରୋକିବାକୁ ପ୍ରସ୍ତୁତ ତେବେ ଆମେ ଏହା ସ୍ୱୀକାର କରିବୁ । ମାତ୍ର ଏଥିପାଇଁ ଆମର ସର୍ତ୍ତ ମାନିବାକୁ ପଡିବ ।
ଅନ୍ୟପଟେ ଇସ୍ରାଏଲ ସୁରକ୍ଷା ବଳ ଲେବାନନର ପୂର୍ବ ସହର ବାଲବେକକୁ ଟାର୍ଗେଟ୍ କରି ଆକ୍ରମଣକୁ ବଢାଇ ଦେଇଛି । ଏହାକୁ ହେଜବୁଲ୍ଲାର ଗଢ ବୋଲି କୁହାଯାଏ । ନିକଟରେ ଇସ୍ରାଏଲର ଆକ୍ରମଣରେ ହେଜବୁଲ୍ଲାର ଜଣେ ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନେକ ମୃତାହତ ହୋଇଛନ୍ତି । ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକାକୀ ବାଲବେକରେ ଅତି କମରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ଲେବାନନର ପ୍ରଧାନମନ୍ତ୍ରୀ ନଜୀବ ମିକାତି ଯୁଦ୍ଧ ବିରାମର ସମ୍ଭାବନା ବିଷୟରେ ଆଶା ପ୍ରକାଶ କରିଛନ୍ତି ।