ମୁମ୍ବାଇ: ଭାରତର ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି । ସେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ୱିକେଟ୍ ହାସଲକାରୀ ଟପ୍-୫ ବୋଲର ତାଲିକାରେ ସାମିଲ ହୋଇଛନ୍ତି । ଜାଡେଜା ଶୁକ୍ରବାର ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି । ସେ ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ଓ ଇଶାନ୍ତ ଶର୍ମାଙ୍କ ରେକର୍ଡ ଭାଙ୍ଗିଛନ୍ତି । ଜାଡେଜା ୩୧୨ ଟେଷ୍ଟ ୱିକେଟ୍ ନେଇଥିବା ବେଳେ ଜାହିର ଓ ଇଶାନ ୩୧୧ ୱିକେଟ ନେଇଥିଲେ ।
ଜାଡେଜା ମୁମ୍ବାଇ ଟେଷ୍ଟର ପ୍ରଥମ ଦିନରେ ଚା ପାନ ବିରତି ପୂର୍ବରୁ ୱିଲ ୟଙ୍ଗ(୭୧), ଟମ ବ୍ଲଣ୍ଡେଲ(୦) ଓ ଗ୍ଲେନ ଫିଲିପ୍ସ(୧୭)ଙ୍କୁ ଆଉଟ୍ କରି ଟପ୍-୫ କ୍ଲବରେ ପ୍ରବେଶ କରିଛନ୍ତି । ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସରେ ଜାଡେଜା ଭାରତ ପକ୍ଷରି ସର୍ବାଧିକ ୫ ୱିକେଟ୍ ଅକ୍ତିକାର କରିଛନ୍ତି । ଉଲ୍ଲେଖନୀୟ ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହେଉଛନ୍ତି ଅନିଲ କୁମ୍ବଲେ । ଏହି ପୂର୍ବତନ ସ୍ପିନର ୬୧୯ ବ୍ୟାଟରଙ୍କୁ ଶିକାର କରିଛନ୍ତି । ଆର ଅଶ୍ୱିନ ୫୩୩ ୱିକେଟ୍ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ଭାରତ ପାଇଁ ସର୍ବାଧିକ ଟେଷ୍ଟ ୱିକେଟ୍
୬୧୯- ଅନିଲ କୁମ୍ବଲେ
୫୩୩- ଆର ଅଶ୍ୱିନ
୪୩୪- କପିଲ ଦେବ
୪୧୭- ହରଭଜନ ସିଂ
୩୧୪- ରବୀନ୍ଦ୍ର ଜାଡେଜା
୩୧୧- ଜାହିର ଖାନ
୩୧୧- ଇଶାନ୍ତ ଶର୍ମା
ମ୍ୟାଚରେ ଟସ୍ ଜିତି ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପ୍ରଥମ ଇନିଂସରେ ୨୩୫ ରନରେ ଅଲଆଉଟ୍ ହୋଇଛି । ଦଳ ପକ୍ଷରୁ ଡାରିଲ ମିଚେଲ୍ ସର୍ବାଧିକ ୮୨ ରନ କରିଥିବା ବେଳେ ୱିଲ ୟଙ୍ଗ ୭୧ ରନ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୬୫ ରନ ଦେଇ ୫ ୱିକେଟ ନେଇଥିବା ବେଳେ ୱାଂଶିଟନ ସୁନ୍ଦର ୮୧ ରନରେ ୪ ୱିକେଟ୍ ସଫଳତା ହାସଲ କରିଛନ୍ତି । ଆକାଶ ଦୀପଙ୍କୁ ଗୋଟିଏ ୱିକେଟ୍ ମିଳିଛି ।