ପୁରୀ: ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡଙ୍ଗ ନାହିଁ । ଶୁକ୍ରବାର ରତ୍ନଭଣ୍ଡାର ସଂପର୍କରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ପ୍ରାଥମିକ ଆଲୋଚନାରୁ କୌଣସି ସୁଡଙ୍ଗ ବା ଗୁପ୍ତ କୋଠରୀ ନ ଥିବା ଜଣା ପଡିଛି । ଏ ନେଇ ଚୂଡାନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରିଛୁ ।
ଆଇନ ମନ୍ତ୍ରୀ କହିଛନ୍ତି, ନୂଆ ବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି ହେବ । କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭିଡ ରହିଛି । କାର୍ତ୍ତିକ ପରେ ରତ୍ନଭଣ୍ଡାରର ମରାମତି କାମ ହେବ । ରତ୍ନଭଣ୍ଡାରରେ ଫାଟ ରହିଛି । କାର୍ତ୍ତିକ ପରେ ଏଏସଆଇ ଏହାର ମରାମତି କରିବ । ଏହା ପରେ ଅଳଙ୍କାରର ଗଣତି କରାଯିବ ।
ସୂଚନାଯୋଗ୍ୟ, କିଛି ଦିନ ତଳେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗଣତିମଣତି ପାଇଁ ଏସଓପି ପ୍ରସ୍ତୁତି ସରିଥିବା କହିଥିଲେ। ଏଏସଆଇ ମରାମତି କରି ସାର୍ଟିଫିକେଟ୍ ଦେବା ପରେ ଗଣତିମଣତି ହେବ। ଏସଓପି ଗୋପନୀୟ। ଏଣୁ ଏହାକୁ ପ୍ରକାଶ କରାଯାଇ ପାରିବ ନାହିଁ। ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି ମଧ୍ୟ ଜଷ୍ଟିସ୍ ରଥ କହିଥିଲେ। କାର୍ତ୍ତିକ ମାସ ପରେ ଏଏସଆଇ ରତ୍ନଭଣ୍ଡାରର ମରାମତି କରିବ ।