ଭୁବନେଶ୍ୱର : ପୁଣି ରାଜ୍ୟ ସରକାରଙ୍କର ନୂଆ ଘୋଷଣା। ପାରାଦୀପରେ ନିର୍ମାଣ ହେବ ନୂତନ ଏୟାରପୋର୍ଟ। ତେବେ ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ “ବିମାନ ଚଳାଚଳ ଏବଂ ନେଟୱାର୍କ ନିର୍ମାଣ ପରିଚାଳନା” ସମ୍ବନ୍ଧରେ ଲୋକସେବା ଭବନରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଉକ୍ତ ବୈଠକରେ ପାରାଦୀପରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ ଯୋଜନା ସମେତ ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ବିକାଶ ଏବଂ ରାଉରକେଲା ବିମାନ ବନ୍ଦରର ଉନ୍ନୀତକରଣ ଉପରେ ଆଲୋଚନା ହୋଇଥିଲା। ଏହାସହିତ ରାଜ୍ୟର ୧୫ ଟି ଜିଲ୍ଲାରେ ହେଲିପୋର୍ଟ ନିର୍ମାଣ ଏବଂ ଡ୍ରୋନ୍ ହବ୍ ସମେତ ରାଜ୍ୟରେ ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିତ୍ତିଭୂମି ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା ହେବା ସହିତ ରାଷ୍ଟ୍ରାୟତ୍ତ ବିମାନବନ୍ଦରଗୁଡ଼ିକର ଉନ୍ନତିକରଣ, ବିମାନ ସଂଯୋଗ ବୃଦ୍ଧି, ବିମାନ ଚଳାଚଳ ୟୁନିଟ୍ର ଦକ୍ଷତା ବୃଦ୍ଧି ସହିତ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।