ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ସାନି ତଦନ୍ତ ତୃତୀୟ ଦିନରେ ପହଂଚିଛି। ଗୁରୁବାର ସକାଳୁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ଵରେ ୨ ଜଣିଆ ଟିମ୍ ବ୍ରଜରାଜନଗର ଗାନ୍ଧୀ ଛକସ୍ଥିତ କ୍ରାଇମ୍ ସ୍ପଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପୂର୍ବତନ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡ଼ା. ଡୋଳାମଣି ପଟେଲଙ୍କ ବୟାନ ରେକର୍ଡ କରିଛନ୍ତି। ପୂର୍ବ ହୋଇଥିବା ତଦନ୍ତରେ ଡା. ପଟେଲଙ୍କ ୧୬୧ ବୟାନ ରେକର୍ଡ ହୋଇ ନଥିବା ବେଳେ କ୍ରାଇମବ୍ରାଞ୍ଚ ଏ ଦିଗରେ ଏବେ ଛାନଭିନ କରୁଥିବା ଜଣାପଡିଛି। ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ପୁଣି ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚି ତଦନ୍ତ କରିଛି ।
ଅନ୍ୟପଟେ ଗତକାଲି ନବ ଦାସଙ୍କ ପତ୍ନୀ ଏବଂ ପୁଅଝିଅ ମୁଖ୍ଯମନ୍ତ୍ରୀଙ୍କୁ ଭେଟିଛନ୍ତି। ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ମିନତୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ତାଙ୍କ କନ୍ୟା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁତ୍ର ବିଶାଳ ଦାସ ମଧ୍ୟ ଉପସ୍ଥିତ ଥିଲେ । ପରିବାର ତରଫରୁ ସିବିଆଇ ତଦନ୍ତ ପାଇଁ ଚିଠି ଦିଆଯାଇଛି ।