ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ପୂର୍ବତନ ବିଧାୟକ ସ୍ୱର୍ଗତ ଦେବେନ୍ଦ୍ର ଶର୍ମାଙ୍କୁ ବିଧାନସଭା ପରିସରରେ ଶନିବାର ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରୀଗଣ ଏବଂ ଅନ୍ୟ ବିଧାୟକମାନେ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଏହା ପରେ ତାଙ୍କୁ ଶେଷ ସମ୍ମାନ ଦିଆଯାଇଛି ।
ଭୁବନେଶ୍ୱରରୁ ଦେବେନ୍ଦ୍ର ଶର୍ମାଙ୍କ ମରଶରୀରକୁ ତାଙ୍କର ଜନ୍ମସ୍ଥାନ ଆଳିକୁ ନିଆଯିବ । ନିଆଳସ୍ଥିତ ତାଙ୍କର ବନ୍ଧୁ ପରିଜନ ଏବଂ ସମର୍ଥକମାନେ ବାସଭବନରେ ଶେଷ ଦର୍ଶନ କରିବେ । ଏହା ପରେ ତାଙ୍କର ଶେଷ କୃତ୍ୟ କରାଯିବ କାର୍ୟ୍ୟକ୍ରମ ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆଳି କଂଗ୍ରେସର ମଙ୍ଗୁଆଳ ଥିବା ଦେବେନ୍ଦ୍ର ଶର୍ମା ଶୁକ୍ରବାର ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ୧୯୫୯ ମସିହା ମାର୍ଚ୍ଚ ୧୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଡାକ୍ତର ଦିବାକର ଶର୍ମା ଏବଂ ମାତାଙ୍କ ନାମ କମଳା ଶର୍ମା । ସେ ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପିଥିଲେ । ୨୦୧୪ରେ ସେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ହରାଇ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ ।