ଭୁବନେଶ୍ୱର: ମଧ୍ୟପ୍ରଦେଶରୁ ଏକ ଅତ୍ୟନ୍ତ ଦୁଃଖଦ ଏବଂ ମର୍ମନ୍ତୁଦ ଖବର ସାମ୍ନାକୁ ଆସିଛି। ସେଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ କିଛି ଓଡ଼ିଆ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଏହି ଅଘଟଣକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
'ସେମିକନ୍ ୨୦୨୬'କାର୍ଯ୍ୟକ୍ରମରେ ଯୋଗଦେଇ ନୂଆଦିଲ୍ଲୀରୁ ଶନିବାର ଦିନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ଏହି ଦୁଃଖଦ ଖବର ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ। ଏଭଳି ଏକ ଅପ୍ରତ୍ୟାଶିତ ଦୁର୍ଘଟଣା ତାଙ୍କୁ ଗଭୀର ମର୍ମାହତ କରିଛି ବୋଲି ସେ କହିଛନ୍ତି।
୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା
ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିମାନଙ୍କ ପରିବାର ପ୍ରତି ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପର୍ଯ୍ୟଟକଙ୍କ ମରଶରୀରକୁ ସୁରକ୍ଷିତ ଭାବେ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟପ୍ରଦେଶ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି। ପୀଡ଼ିତ ପରିବାରବର୍ଗଙ୍କୁ ସମସ୍ତପ୍ରକାର ସରକାରୀ ସହଯୋଗ ଯୋଗାଇ ଦିଆଯାଉଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।