ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି । ଶନିବାର ସକାଳେ ଶ୍ରୀମନ୍ଦିରରେ ରକ୍ତ ଛିଟା ପଡ଼ିବାରୁ ବଡ଼ ମହାସ୍ନାନ ନୀତି ହୋଇଛି । ପାଣିଆ ଆପଟ ସେବକ କୃଷ୍ଣଚନ୍ଦ୍ର ଆପଟ ତଳେ ପଡ଼ିଯିବାରୁ ରକ୍ତ ଛିଟା ପଡ଼ିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି ।
ଆଜି ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ପରେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ଏବଂ ଅବକାସ ନୀତି ଶେଷ ହୋଇଥିଲା । ଶ୍ରୀଜୀଉଙ୍କ ବେଶ ଚାଲିଥିବାବେଳେ ପାଣିଆ ଆପଟ ସେବକ କୃଷ୍ଣଚନ୍ଦ୍ର ପାଣି ନେଇ ଯାଉଥିଲେ । ତାଙ୍କର ଗୋଡ଼ ଖସି ଯିବାରୁ ସେ ତଳେ ପଡ଼ିଯାଇଥିଲେ । ତାଙ୍କର ହାତ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ଏବଂ ରକ୍ତ ସ୍ରାବ ହୋଇଥିଲା । ବିଧି ମୁତାବକ ଭିତରକାଠରେ ରକ୍ତ ଛିଟା ପଡ଼ିଲେ ବଡ଼ ମହାସ୍ନାନ ହୋଇଥାଏ । ତେଣୁ ବଡ଼ ମହାସ୍ନାନ କରାଯାଇଥିଲା । ଫଳରେ ଏକ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ମହାସ୍ନାନ ସମ୍ପନ୍ନ ହେବା ପରେ ଦର୍ଶନ ଆରମ୍ଭ ହୋଇଛି ।
ଅନ୍ୟପକ୍ଷରେ ଆହତ ସେବକଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।