ନୂଆଦିଲ୍ଲୀ: ଗୁଜରାଟ ଗୋଧରା କାଣ୍ଡ ପରେ ସଂଗଠିତ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ଛଅ ଅଭିଯୁକ୍ତଙ୍କୁ ଶୁକ୍ରବାର ମୁକ୍ତ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ନିଜ ନିଷ୍ପତିରେ କହିଛନ୍ତି କୌଣସି ବି ମାମଲାରେ କେବଳ ଘଟଣାସ୍ଥଳରେ ଉପସ୍ଥିତ ରହିବା କିମ୍ବା ସେଠାରୁ ଗିରଫ ହେବା ଏହା ପ୍ରମାଣିତ ହୁଏ ନାହିଁ ଯେ ବ୍ୟକ୍ତି ଜଣକ ଉକ୍ତ ଘଟଣାରେ ସାମିଲ ଥିଲେ ।
ଜଷ୍ଟିସ ପି ଏସ ନରସିମାହ ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ପୀଠ ଗୁଜରାଟ ହାଇକୋର୍ଟଙ୍କ ୨୦୧୬ ନିଷ୍ପତ୍ତିକୁ ଖାରଜ କରିଛନ୍ତି । ଉକ୍ତ ନିଷ୍ପତ୍ତିରେ କୋର୍ଟ ଗୋଧରା କାଣ୍ଡ ପରେ ୨୦୦୨ ଦଙ୍ଗା ମାମଲାରେ ୬ ଜଣଙ୍କୁ ମୁକ୍ତ କରାଯିବା ନିଷ୍ପତ୍ତି ବଦଳାଇ ସଜା କାଏମ ରଖିିଥିଲେ । ଧିରୁଭାଇ ଲାଲଭାଇ ଚୌହାନ ଓ ଅନ୍ୟ ୫ ଜଣଙ୍କୁ ଏହି ଘଟଣାରେ ଗୋଟିଏ ବର୍ଷର ସେଜ୍ ସଜା ଶୁଣାଇଥିଲେ । ଉଲ୍ଲେଖନୀୟ ବଡୋଦା ଗାଁରେ ଏକ କବରସ୍ଥାନ ଓ ମସଜିଦକୁ ଭିଡ ଘେରି ନେଇଥିଲେ । ଏହି ସମୟରେ ଉକ୍ତ ୬ ଆବେଦନକାରୀ ଅଭିଯୁକ୍ତଙ୍କୁ ପୋଲିସ ଘଟଣାସ୍ଥଳରୁ ଗିରଫ କରିଥିଲା ।
ନିମ୍ନ ଅଦାଲତ ସମସ୍ତ ୧୯ ଅଭିଯୁକ୍ତଙ୍କୁ ମୁକ୍ତ କରିଥିଲେ, ମାତ୍ର ହାଇକୋର୍ଟ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ମାମଲାର ଶୁଣାଣି ଚାଲିଥିବା ବେଳେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା । ତେବେ ସୁପ୍ରିମକୋର୍ଟ ନିମ୍ନ ଅଦାଲତଙ୍କ ୨୦୦୩ ମସିହାର ନିଷ୍ପତ୍ତିକୁ କାଏମ ରଖି ଅଭିଯୁକ୍ତମାନଙ୍କୁ ମୁକ୍ତ କରିଛନ୍ତି ।
ଖଣ୍ଡପୀଠ କହିଛନ୍ତି, ପୋଲିସର ଗୁଳିମାଡ କାରଣରୁ ଲୋକେ ଭୟରେ ଏପଟେ ସେପଟେ ଦୌଡିବାକୁ ଲାଗିଥିଲେ । ଏହି ଧରଣର ଘଟଣାରେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଅପରାଧୀ ଭାବେ ବିବେଚନା କରାଯାଏ । ତେଣୁ ଏମିତି କ୍ଷେତ୍ରରେ ଘଟଣାସ୍ଥଳରୁ ଗିରଫ ବ୍ୟକ୍ତିଙ୍କୁ ଦୋଷୀ ଭାବେ ବିବେଚନା କରାଯାଇ ପାରିବ ନାହିଁ ।