ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ସନ୍ଧ୍ୟାରେ ଏନେଇ ଗୃହରେ ସୂଚନା ଦେଇଛନ୍ତି।
ମୁଖ୍ଯମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍ରେ ମଞ୍ଜୁରୀ ଦେଇଛନ୍ତି। ରାଜ୍ୟରେ ଚଳିତ ବର୍ଷ ଅପ୍ରେଲ୍ ପହିଲାରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁହେବ। ପ୍ରଧାନମନ୍ତ୍ରୀ-ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ଶୁଭାରମ୍ଭ ହେବ। ଏହା ଦ୍ବାରା ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ। ୭୦ ବର୍ଷ ବୟସରୁ ଅଧିକ ଲୋକଙ୍କ ଲାଗି 'ଆୟୁଷ୍ମାନ ବାୟୋ ବନ୍ଧନ'କୁ ମଞ୍ଜୁରୀ ମିଳିଛି। ପରିବାର ପିଛା ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିବ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ମିଳିତ ଭାବେ କାମ କରିବ। ଏହି ଯୋଜନା ଦ୍ବାରା ହିତାଧିକାରୀମାନେ କ୍ୟାସ୍ଲେସ୍ ସୁବିଧା ପାଇପାରିବେ।
ସେହିପରି ଡିଏମଏଫ ନିୟମରେ ସଂଶୋଧନ ଆଣିଛନ୍ତି ସରକାର । ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ଅଂଚଳର ପରିସୀମା ୧୦ କି.ମିରୁ ୧୫ କିମିକୁ ବୃଦ୍ଧି କରାଯାଇଛି । ଖଣି-ଖାଦାନ ଅଂଚଳରୁ ୫ କି.ମି ଭିତରେ ସମସ୍ତ ଉନ୍ନତିମୂଳକ କାମ ସାଚ୍ୟୁରେସନ ମୋଡ୍ରେ ହେବ । ଓଡ଼ିଶା ବେସାମରିକ ଥଇଥାନ ନିୟମରେ ପରିବର୍ତ୍ତନ ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ ।
ଏହାସହ ଚାକିରି ଥଇଥାନରେ ଉଠିଲା ମାର୍କିଙ୍ଗ ସିଷ୍ଟମ୍ । ସେହିପରି ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ ଏନକ୍ରୋଚମେଂଟ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୧ ଏକରର ୨୫ ଭାଗରୁ ଏକ ଭାଗରୁ କମ ପରିମାଣର ଘରବାରି ଜମିଥିଲେ ଘରବାରିହୀନ ବ୍ୟକ୍ତି ଭାବେ ପରିଗଣିତ ହେବେ । ସେହି ବ୍ୟକ୍ତିଙ୍କୁ ଠିକ୍ ସେହି ପରିମାଣର ଜମି ଯୋଗାଇବେ ସରକାର ।
ସେହିପରି ରାଜ୍ୟ ସଡ଼କ ନୀତି ୨୦୨୫ର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ।