ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଥିବା ବେଳେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା। ଶନିବାର ଅନେକ ସ୍ଥାନରେ ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ପୁଣି ପ୍ରବଳ(୭ରୁ ୧୧ ସେମି) ବର୍ଷା ନେଇ ବାଲେଶ୍ୱର ,ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, ମୟୁରଭଞ୍ଜ ଓ କେନ୍ଦୁଝରକୁ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ। ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ଓ କୁଆପଥର ବର୍ଷାକୁ ନେଇ ଜଗତସିଂହପୁର,କଟକ, ଢେଙ୍କାନାଳ, ଅନୁଗୁଳ ଦେଓଗଡ ଓ ସୁନ୍ଦରଗଡରେ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ। ଏହି ସମୟରେ ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ରହିଛି। ସେହିପରି ଝାରସୁଗୁଡା, ସୋନପୁର ବରଗଡ଼, ସମ୍ବଲପୁର, ବୌଦ୍ଧ, ନୟାଗଡ, କନ୍ଧମାଳ, କଳାହାଣ୍ଡି ପୁରୀ ଗଜପତି, ଗଂଜାମ, ରାୟଗଡା,କୋରାପୁଟ ମାଲକାନଗିରି, ନୂଆପଡା,ବଲାଙ୍ଗୀର ଓ ନବରଙ୍ଗପୁର ରେ ବିଜୁଳି ଘଡଘଡି ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ।
ଆସନ୍ତା କାଲିଠାରୁ ବର୍ଷାର ପରିମାଣ କମିବ। ୨୪ ତାରିଖ ଯାଏଁ ରାଜ୍ୟରେ କାଳ ବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୨୫ ପରେ ପାଗରେ ପରିବର୍ତ୍ତନ ଆସିବ। ପରେ ଧୀରେ ଧୀରେ ତାପମାତ୍ରା ବଢିବା ସହ ୨ ରୁ ୫ ଡିଗ୍ରୀ ତାପମାତ୍ରା ପୁଣି ବୃଦ୍ଧି ହେବ ଓ ଅସମ୍ଭାଳ ତାତି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାରିପଦାରେ ସର୍ବାଧିକ ୧୨୩.୪ ମିମି ବର୍ଷା ହୋଇଛି। କେନ୍ଦୁଝର ଯୋଡ଼ାରେ ୮୪.୫ ମିମି, ସୁନ୍ଦରଗଡ ରାଜଗାଙ୍ଗପୁରରେ ୭୦.୨ ମିମି, କେନ୍ଦୁଝର ସରପଡା ରେ ୬୧.୬ ମିମି ବର୍ଷା ରେକର୍ଡ ହୋଇଛି।