ବାହାଦୁରଗଡ଼: ହରିୟାଣାର ବାହାଦୁରଗଡ଼ରେ ଜଣଙ୍କ ଘର ଭିତରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ପୋରଣରେ ୩ ଜଣ ଶିଶୁ ଓ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ସେହିପରି ବିସ୍ଫୋରଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏସି କମ୍ପ୍ରେସର ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁସାରେ, ଶନିବାର ରାତିରେ ହରିୟାଣାର ବାହାଦୁରଗଡ଼ର ସେକ୍ଟର ୯ରେ ଥିବା ଏକ ଘରେ ବିସ୍ଫୋରଣ ହୋଇଥିଲା । ଘରେ ଲଗାତାର ଦୁଇଟି ବିସ୍ଫୋରଣ ହୋଇଥିଲା ବୋଲି ସ୍ଥାନୀୟ ଲୋକ ପୁଲିସକୁ କହିଛନ୍ତି। ବିସ୍ଫୋରଣରେ ଚତୁ!ପାର୍ଶ୍ଵ ନିଆଁ ଓ ଧୂଆଁରେ ପରିପୂର୍ଣ୍ଣ ହୋଇଯାଇଥିଲା। ସ୍ଥାନୀୟ ଲୋକ ଘର ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ଘର ଭିତରୁ ପ୍ରବଳ ଧୂଆଁ ବାହାରିବାରୁ ସ୍ଥାନୀୟ ଲୋକେ ଉକ୍ତ ଘରର କବାଟ ଭାଙ୍ଗି ଜଣେ ଆହତଙ୍କୁ ଉଦ୍ଧାର କରିଥିଲେ। ଧୂଆଁରେ ଘର ଭିତର କିଛି ବି ଦେଖାଯାଉନଥିଲା।
ଅଗ୍ନିଶମ ବିଭାଗ ଖବର ପାଇ ପହଞ୍ଚିବା ପରେ ନିଆଁ ଲିଭାଇ ଘର ଭିତରୁ ତିନି ପିଲା ସମେତ ଚାରି ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ପୁଲିସ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।