କଳାହାଣ୍ଡି: ସରକାରଙ୍କ ଅଧିନରେ ଚାକିରି କରିଥିବା ପିଇଓଙ୍କୁ ପାଗଳ କରୁଛି କ୍ରିକେଟ୍ ବେଟିଂ ଏବଂ ଅନଲାଇନ୍ ଗେମ୍ । ଯାହା ପାଇଁ କୋଟି କୋଟି ଟଙ୍କାର ସରକାରୀ ଅର୍ଥକୁ କରିଛନ୍ତି ଆତ୍ମସାତ । ଗତକାଲି ଜଣେ ପିଇଓ ଏହି ଅଭିଯୋଗରେ ଗିରଫ ହୋଇଥିବାବେଳେ ଶନିବାର ପୁଣି ଜଣେ ପିଇଓଙ୍କୁ ଭିଜିଲାନ୍ସ ବାନ୍ଧିଛି । ସେ ହେଲେ କଳାହାଣ୍ଡି ଜିଲ୍ଲା ଥୂଆମୂଳ-ରାମପୁର ବ୍ଲକ ଅଧିନସ୍ଥ ପୋଡ଼ାପଦର ଏବଂ ତଳନେଗି ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଦେବାନନ୍ଦ ସାଗର । ସେ ୩ କୋଟିରୁ ଉର୍ଦ୍ଧ୍ୱ ସରକାରୀ ଅର୍ଥ ଆତ୍ମସାତ କରି କ୍ରିକେଟ୍ ବେଟିଂରେ ଲଗାଇଥିବା ଜଣାପଡ଼ିଛି ।
ପିଇଓ ଦେବାନନ୍ଦ ସାଗର ନିଜ ସରକାରୀ ପଦର ଅପବ୍ୟବହାର ଏବଂ ସରପଞ୍ଚଙ୍କ ଦସ୍ତଖତକୁ ନକଲ କରି ଟଙ୍କା ହେରଫେର କରିଛନ୍ତି । ସେ ୩.୨୬ କୋଟି ଟଙ୍କା ହଡ଼ପ କରିଛନ୍ତି । ପୋଡ଼ପଦର ପଞ୍ଚାୟତରେ କାର୍ୟ୍ୟରତ ଥିବାବେଳେ ୧ କୋଟି ୫୫ ଲକ୍ଷ ୭୫୮ ଟଙ୍କା ଏବଂ ତଳନେଗୀ ପଞ୍ଚାୟତରୁ ୧ କୋଟି ୭୧ ଲକ୍ଷ ୮୬ ହଜାର ୩୪୨ ଟଙ୍କା ସିଏଫସି ଏବି ଏସ୍ଏଫ୍ସି ଆକାଉଣ୍ଟରୁ ଉଠାଇଛନ୍ତି । ଏ ସମସ୍ତ ଟଙ୍କା ଚେକ୍ ଏବଂ ଅନଲାଇନ୍ ମାଧ୍ୟମରେ ନିଜର ଧର୍ମଗଡ଼ ଏସବିଆଇ ଶାଖା ବ୍ୟାଙ୍କ ଆକାଉଣ୍ଟକୁ ପଠାଇଛନ୍ତି ।
ଜୁଲାଇ ୪, ୨୦୧୬ରେ ଦେବାନନ୍ଦ ସାଗର ତଳନେଗୀ ଗ୍ରାମ ପଞ୍ଚାୟତରେ ପ୍ରଥମ ଥର ପାଇଁ ଚାକିରୀ ଆରମ୍ଭ କରିଥିଲେ । ୫ ମେ, ୨୦୧୮ ରୁ ୧୭ ମାର୍ଚ୍ଚ, ୨୦୨୨ ମଧ୍ୟରେ ସେ ଉକ୍ତ ଟଙ୍କା ହଡ଼ପ କରିଛନ୍ତି ।
୨୦୨୩ ମସିହାରେ, ସେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବଡ଼ଛତ୍ରଙ୍ଗ, ବିରିକୋଟ ଏବଂ ପାହାଡପଦର ପଞ୍ଚାୟତରେ ପିଇଓ ଥିବା ସମୟରେ ୧.୦୪ କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରିଛନ୍ତି । ସରକାରୀ ଅର୍ଥ ଅପବ୍ୟବହାର କରିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ନିଲମ୍ବନ କରିଥିଲା । ତେବେ ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମ ପଞ୍ଚାୟତର ପିଇଓ କ୍ଷେତ୍ର ମୋହନ ନାୟକ ସମାନ ଅଭିଯୋଗରେ ଗିରଫ କରାଯାଇଛି । ୪୩ ଲକ୍ଷ ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିଲା । ସେ ଏହି ଅର୍ଥରାଶିକୁ କ୍ରିକେଟ୍ ବେଟିଂରେ ଲଗାଇଥିବା ଜଣାପଡ଼ିଛି ।