କଟକ: ବାରମ୍ବାର ସଡକ ସୁରକ୍ଷା ନିୟମ ଉଲ୍ଲଂଘନ କରୁଥିବା ଗାଡିର ପଞ୍ଜିକରଣ ରଦ୍ଦ ହୋଇଛି । ବାରମ୍ବାର ସଡକ ସୁରକ୍ଷା ନିୟମ ଉଲ୍ଲଂଘନ କରୁଥିବା ଏକ ତାଲିକା ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଯାନର ପଞ୍ଜିକରଣ ନିଲମ୍ବନ କରାଯାଇଛି । ଆଗକୁ ବେପରୁଆ ଗାଡି ଚାଳକ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।
ସମ୍ବଲପୁର ଆରଟିଓଙ୍କ ଦ୍ୱାରା ୫୭ଟି ଗାଡ଼ି, ସୁନ୍ଦରଗଡ଼ ଆରଟିଓଙ୍କ ଦ୍ୱାରା ୫୨ଟି, ଭୁବନେଶ୍ୱର ଆରଟିଓ-୧ଙ୍କ ଦ୍ୱାରା ୨୭, ଜଗତସିଂହପୁର ଆରଟିଓଙ୍କ ଦ୍ୱାରା ୨୨, କଟକ ୨୨, ବରଗଡ଼ ୯, ବାଲେଶ୍ୱର ୯, ଭୁବନେଶ୍ୱର-୨ ଆରଟିଓଙ୍କ ଦ୍ୱାରା ୬, ଝାରସୁଗୁଡା ୬, ଚଣ୍ଡିଖୋଲ ୫, କେନ୍ଦ୍ରାପଡ଼ା ୫, ଭଦ୍ରକ ୪, ରାଉରକେଲା ୪, ଯାଜପୁର ୨, କେନ୍ଦୁଝର ୨, ରାଇରଙ୍ଗପୁର ଏଆରଟିଓଙ୍କ ଦ୍ୱାରା ୨, ଏଆରଟିଓ ବଡ଼ବିଲଙ୍କ ଦ୍ୱାରା ୨, ଢେଙ୍କାନାଳ, କୋରାପୁଟ, ନୟାଗଡ଼, ସୋନପୁର, ତାଳଚେର ଆରଟିଓଙ୍କ ଦ୍ୱାରା ଗୋଟିଏ ଲେଖାଏଁ ଗାଡ଼ିର ପଞ୍ଜିକରଣ ପ୍ରମାଣପତ୍ର ନିଲମ୍ବନ କରାଯାଇଛି। ନିଲମ୍ବିତ ହୋଇଥିବା ଗାଡ଼ି ମଧ୍ୟରେ ଅନେକ ଗାଡ଼ି ୫୦ରୁ ଅଧିକ ଥର ମୋଟର ଯାନ ଆଇନ ଉଲ୍ଲଙ୍ଘନ କରିଥିବା ବେଳେ, ଏପରି କିଛି ଗାଡ଼ି ମଧ୍ୟ ରହିଛି, ଯେଉଁ ଗାଡ଼ି ଗୁଡ଼ିକ ୧୦୦ ରୁ ଅଧିକ ଥର ମୋଟର ଯାନ ଆଇନ ଉଲ୍ଲଙ୍ଘନ କରିଛନ୍ତି ।
ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି । ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସଚେତନତା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଏନଫୋର୍ସମେଣ୍ଟ ବ୍ୟାପକ କରାଯାଇଛି। ସଡ଼କ ସୁରକ୍ଷାର ଗୁରୁତ୍ୱକୁ ଦୃଷ୍ଟି ରଖି, ଏଭଳି ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ମୋଟର ଯାନ ଆଇ ଅନୁଯାୟୀ କଠୋର ଆଭିମୁଖ୍ୟ ଗ୍ରହଣ ପାଇଁ ବିଭାଗ ନିଷ୍ପତ୍ତି ନେଇଛି।
Also read: ଧର୍ମଘଟ ନିଷ୍ପତ୍ତିକୁ ପ୍ରତ୍ୟାହୃତ କଲା ବସ୍ ମାଲିକ ସଂଘ