ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୫ରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଗୁରୁବାର ନୂଆଦିଲ୍ଲୀରେ ସମୀକ୍ଷା ବୈଠକ କରିଛି। ଏହି ସମୟରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିବା ଦୁଇ ପ୍ରାର୍ଥୀ ପରସ୍ପର ମୁହାଁମୁହିଁ ହୋଇଥିଲେ। ପରସ୍ପରକୁ ଗାଳିଗୁଲଜ କରିଥିଲେ। ଏପରିକି ଜଣେ ପ୍ରାର୍ଥୀଙ୍କୁ ମୁହଁରେ ଗୁଳି କରିବାକୁ ଧମକ ଦେଇଛନ୍ତି। ଏହି ଘଟଣା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବୈଠକରେ ପହଞ୍ଚିବା ପୂର୍ବରୁ ଘଟିଥିଲା।
ବିହାର ନିର୍ବାଚନରେ ପରାଜୟର ସମୀକ୍ଷା ପାଇଁ କଂଗ୍ରେସ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଭବନରେ ପାର୍ଟିର ସମସ୍ତ ୬୧ ପ୍ରାର୍ଥୀ ଓ ରାଜ୍ୟର ବରିଷ୍ଠ ନେତାଙ୍କୁ ତଲବ କରିଥିଲେ। ବୈଠକରେ ହଙ୍ଗାମା ପରେ ପାଟନାରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୀତି ସରଗରମ ହୋଇ ଉଠିଛି। କୁହାଯାଉଛି ସମୀକ୍ଷା ବୈଠକରେ କଂଗ୍ରେସର ଟିକେଟରୁ ବୈଶାଳୀ ଆସନରୁ ନିର୍ବାଚନ ଲଢିଥିବା ଇଞ୍ଜିନିୟର ସଞ୍ଜୀବ ଓ ପୂର୍ଣ୍ଣିମାରୁ ପ୍ରାର୍ଥୀ ରହିଥିବା ଜିତେନ୍ଦ୍ର ଯାଦବଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସେଠାରେ ଉପସ୍ଥିତ ବରିଷ୍ଠ ନେତା ତୁରନ୍ତ ଉଭୟଙ୍କୁ ଅଲଗା କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବୈଠକରେ ପହଞ୍ଚିବା ପୂର୍ବରୁ ଏହି ଘଟଣା କଂଗ୍ରେସକୁ ଅପଦସ୍ଥ କରାଇଛି। ସାଂସଦ ତାରିକ ଅନଓ୍ଵର ଉଭୟ ପ୍ରାର୍ଥୀଙ୍କୁ ତାଗିଦ୍ କରି ଚୁପ୍ ରହିବାକୁ ଉପଦେଶ ଦେଇଥିଲେ। ସେ ତାଗିଦ୍ କରି କହିଛନ୍ତି, ପାର୍ଟିରେ ଲୋକେ ଆସିବେ ଯିବେ, ମାତ୍ର ଏହି ଧରଣର ଅନୁଶାସନହୀନତାକୁ ବରଦାସ୍ତ କରାଯିବନି।
ରାହୁଲ ଓ ଖଡ଼ଗେ ଗୁରୁବାର କଂଗ୍ରେସର ସମୀକ୍ଷା ବୈଠକରେ ନିର୍ବାଚନ ଲଢିଥିବା ପ୍ରାର୍ଥୀଙ୍କ ସହ ୧୦-୧୦ ସମୂହରେ ଆଲୋଚନା କରି ରିପୋର୍ଟ ମାଗିଛନ୍ତି। ଅଧିକାଂଶ ପ୍ରାର୍ଥୀ ମହାମେଣ୍ଟ ମଧ୍ୟରେ ମୁକାବିଲା, ମେଣ୍ଟରେ ସିଟ୍ ବଣ୍ଟନରେ ବିଳମ୍ବ, ଆରଜେଡି ସହ ନିର୍ବାଚନ ଲଢିବାରୁ କ୍ଷତି ଓ ନୀତୀଶ ସରକାରଙ୍କ ଦ୍ଵାରା ନିର୍ବାଚନ ଠିକ୍ ପୂର୍ବରୁ ୧୦-୧୦ ହଜାର ଟଙ୍କା ମହିଳାଙ୍କୁ ବଣ୍ଟାଯିବା କଂଗ୍ରେସ ପରାଜୟର କାରଣ ବୋଲି କହିଛନ୍ତି।
Also read: ରାଷ୍ଟ୍ରପତିଙ୍କୁ ଭୋଟ୍ ଦେବା ବାପାଙ୍କ ନିଷ୍ପତ୍ତି ଠିକ୍ ଥିଲା: ସୋଫିଆ ଫିର୍ଦ୍ଦୋସ୍