ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସିନୀ ମା'ଶାରଳାଙ୍କ ପୀଠରେ ନବରାତ୍ର ପୂଜା ଚାଲିଛି ।ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ମା' ଶାରଳାଙ୍କ ପୀଠ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ୧୭ ଦିନ ବ୍ୟାପି ମା'ଙ୍କ ପୀଠରେ ଅନୁଷ୍ଠିତ ହେବ।ଷୋଡଶ ଉପଚାରର ଆଜି ହେଉଛି ଷଷ୍ଠୀ ପୂଜା। ଆଜି ମା' ମହିଷା ମର୍ଦ୍ଧିନୀ ବେଶରେ ଦର୍ଶନ ଦେଉଛନ୍ତି। ପ୍ରତ୍ୟେକ ଦିନ ରାତ୍ରି ବାରଟା ସମୟରେ କାଳିକା ଅବତାର ନୃତ୍ୟ କରାଯାଏ। ଏହି ଅବସରରେ ମା' ଶାରଳାଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହିତ ମା'ଙ୍କ ପୀଠରେ ପ୍ରତିଦିନ ଷୋଡଶ ଉପଚାର ପୂଜା ଓ ଚଣ୍ଡୀ ପାଠ ଆଦି ଆୟୋଜିତ ମଧ୍ୟ କରାଯାଉଛି। ଏହି ପାର୍ବଣ ସମୟରେ ମାଆଙ୍କ ବିଭିନ୍ନ ପ୍ରକାର ବେଶ କରାଯିବା ସହିତ ସୁନା ବେଶରେ ମଧ୍ୟ ଅନୁଷ୍ଠିତ ହେବ। ଏହି ସମୟରେ ମାଆଙ୍କୁ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି।