ଦଶହରାରେ ପୃଥିବୀପୃଷ୍ଠରେ ବିରଜିବେ ମା । ମାଙ୍କ ପୂଜା କରାଯିବା ସହ ଦଶହରାରେ ଭିନ୍ନ ଭିନ୍ନ ଆକର୍ଷଣୀୟ ତୋରଣ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିବ । ତେବେ ରାଜଧାନୀ ଚାଲିଛି ତୋରଣ ପ୍ରସ୍ତୁତି । ସମସ୍ତ ପୂଜା କମିଟି ତୋରଣକୁ ଆକର୍ଷିତ କରିବା ପାଇଁ ଉତ୍ସାହର ସହ ଲାଗିପଡିଛନ୍ତି । ଏହାରି ଭିତରେ ରାଜଧାନୀର କଳିଙ୍ଗ ବିହାରରେ ଦେଖିବାକୁ ମିଳିବ ନିଆରା ତୋରଣ । ଛାତ୍ର ଛାତ୍ରୀଙ୍କୁ ପ୍ରଭାବିତ କରିବ କଳିଙ୍ଗ ବିହାର ପୂଜା କମିଟିର ତୋରଣ । ପ୍ରତିବର୍ଷ ଜନସଚେତନତାର ବାର୍ତ୍ତା ଦେଉଥିବା ଏହି କମିଟିର ପୂଜା ଚଳିତ ବର୍ଷ ଶିକ୍ଷାର ମହତ୍ତ୍ବ ପ୍ରସାର କରିବ। ଏଥିପାଇଁ ମା’ ଜଗତଜନନୀଙ୍କ ମଣ୍ଡପର ତୋରଣରେ ନିର୍ମାଣ କରାଯାଉଛି ବିଶ୍ବ ବିଖ୍ୟାତ ହାଭାର୍ଡ ବିଶ୍ବବିଦ୍ୟାଳୟ ମଡେଲ୍ ।
ମଣିଷ ସମାଜ ପାଇଁ ଆଧ୍ୟାତ୍ମିକତା ଯେତିକି ଦରକାର ଶିକ୍ଷା ମଧ୍ୟ ସେତିକି ଜରୁରୀ ବୋଲି ଏହି ପୂଜା କମିଟି ଏଭଳି ନିଷ୍ପତ୍ତି ନେଇଛି। ୫୭ ଫୁଟ୍ ଉଚ୍ଚ ଓ ୭୬ ଫୁଟ୍ ପ୍ରସ୍ଥର ଏହି ତୋରଣ ତିଆରି କରିବାକୁ ମାସକ ପୂର୍ବରୁ ୩୦ରୁ ଅଧିକ ଓଡ଼ିଆ ଓ ବଙ୍ଗୀୟ କାରିଗର ଲାଗିଛନ୍ତି। ସେହିଭଳି ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୧୪ ଫୁଟ୍ କରାଯାଉଛି। ଶିକ୍ଷା ବିନା ଉନ୍ନତି ଅସମ୍ଭବ ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଆରା ଆୟୋଜନ କରାଯାଇଛି । ଶିକ୍ଷା ସହ ଆଧ୍ୟାତ୍ମିକ ଜଡିତ ବୋଲି ଶ୍ରଦ୍ଧାଳୁଙ୍କୁ ଦର୍ଶାଇବେ ।
ଖାଲି ତୋରଣ ନୁହେଁ ମେଢ଼କୁ ମଧ୍ୟ ଅଧିକ ଆକର୍ଷଣୀୟ କରିବାକୁ କୋଲକାତାରେ ସ୍ବତନ୍ତ୍ର ବରାଦ ଦିଆଯାଇଛି। ମା’ଙ୍କ ପୂଜାର୍ଚ୍ଚନା ଯଥାରୀତି ସମ୍ପନ୍ନ କରାଯିବ ଏବଂ ଦଶମୀରେ ଶ୍ରଦ୍ଧାଳୁମାନଙ୍କୁ ଖେଚୁଡ଼ି ଓ ଡାଲମା ପ୍ରସାଦ ବଣ୍ଟନ କରାଯିବ। କଳିଙ୍ଗନଗର ଓ କଳିଙ୍ଗବିହାରର ସମସ୍ତ ଅଧିବାସୀମାନଙ୍କ ସହ ଆଖପାଖ ଗାଁର ଯୁବକ ଓ ମୁରବିମାନେ ପୂଜାରେ ସହଯୋଗ କରୁଥିବା ବେଳେ ତମାଣ୍ଡୋ ଥାନା ପୁଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ବିଶେଷ ସହଯୋଗ କରୁଛି । ତେଣୁ ୩ ଦିନ ଧରି ହେବାକୁ ଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁମାନଙ୍କ ମନୋରଞ୍ଜନ କରିବ। ମା’ଙ୍କୁ ମେଲାଣି ଦେବା ପୂର୍ବରୁ ଏଠାରେ ସିନ୍ଦୂର ଖେଳ ଏକ ପରମ୍ପରା ପାଲଟିଛି। ବଙ୍ଗୀୟ ମହିଳାଙ୍କ ସମତେ ଓଡ଼ିଆ ମହିଳାମାନେ ଏହି ସିନ୍ଦୂର ଖେଳରେ ସାମିଲ୍ ହେଉଛନ୍ତି।
ଅଧିକ ପଢନ୍ତୁ :ଦଶହରା ସମୟରେ ଏକ ଲଘୁଚାପ ଆସିପାରେ ଓଡ଼ିଶା ଉପକୂଳକୁ