ପ୍ରାୟତଃ ଦଶହରା ସମୟରେ ଓଡ଼ିଶାରେ ଲଘୁଚାପ ବା ବନ୍ୟା ଆସିଥାଏ । ଏଥର ମଧ୍ୟ ଦଶହରା ବେଳକୁ ଏକ ଲଘୁଚାପ ଓଡ଼ିଶା ଉପକୂଳକୁ ଆସିପାରେ । ଲଘୁଚାପ ପ୍ରଭାବରେ ରାଜ୍ୟରେ ହାଲୁକା ବା ମଧ୍ୟମ ଧରଣର ବର୍ଷା ହେଇପାରେ । ସୂଚନା ଅନୁଯାୟୀ, ଦଶହରା ସମୟରେ ଏକ ଲଘୁଚାପ ଘନିଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଏହା ଓଡ଼ିଶା ମୁହାଁ ହେବା ସହ ଅକ୍ଟୋବର ୨୪ ତାରିଖ ବେଳକୁ ଓଡ଼ିଶା ଉପକୂଳରେ ରହିପାରେ । ଏହାସହ ଏହା ଗୋପାଳପୁର ଏବଂ ଚିଲିକା ମଝିରେ ସ୍ଥଳଭାଗ ଛୁଇଁପାରେ । ସେଥିପାଇଁ ଅକ୍ଟୋବର ୨୩ରୁ ୨୬ ତାରିଖ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଅନ୍ୟପଟେ କୃଷି ପାଣିପାଗ ବିଶାରଦ ଡକ୍ଟର ପଶୁପାଳକ କହିଛନ୍ତି, ଏ ବର୍ଷ ରାଜ୍ୟରେ ଶୀତ ଡେରି ରେ ଆସିବ । ଏହାସହ ଶୀତ ଡେରି ରେ ଆସି ଶୀଘ୍ର ପଳାଇବ । ଅନ୍ୟ ପକ୍ଷରେ ଖରା ଏବଂ ଗରମ ଆଗୁଆ ଅନୁଭୂତ ହେବ । ଶୀତ ଋତୁରେ ହେଉଥିବା ବର୍ଷା ବି ଏଥର କମ ହେବ ବୋଲି ସେ ଆକଳନ କରିଛନ୍ତି ।
ଏହାସହ 'ସୁପର୍ ଏଲ୍ ନିନୋ' ପ୍ରଭାବ ଯୋଗୁ ଶୀତ ମଧ୍ୟ କମ ରହିବ । ଏହାର ଭାରତର ମୌସୁମୀ ବର୍ଷା ଉପରେ ମଧ୍ୟ ପଡ଼ିପାରେ ଗଭୀର ପ୍ରଭାବ। ଏହାକୁ ଏନେଇ ଆମେରିକୀୟ ପାଣିପାଗ ପୂର୍ବାନୁମାନ ସଂସ୍ଥା ନୋଆ ଆକଳନ କରିଛି ଯେ, ୨୦୨୪ ମାର୍ଚ୍ଚରୁ ମେ’ ଭିତରେ ଉତ୍ତର ଗୋଲାର୍ଦ୍ଧରେ ଶକ୍ତିଶାଳୀ ଏଲ୍ ନିନୋ ସୃଷ୍ଟି ହୋଇପାରେ।
ଅଧିକ ପଢ଼ନ୍ତୁ: ଆଉ କିଛି ଦିନ ପରେ ମଣ୍ଡପରେ ପୂଜା ପାଇବେ ମା' ଦୁର୍ଗା