ଭୁବନେଶ୍ବର : ପୁଣି ଇସ୍କନର ମନମାନି । ଆସନ୍ତା ନଭେମ୍ବର ୨୩ ତାରିଖ ରବିବାର ଦିନ ଆୟୋଜିତ ହେବାକୁ ଯାଉଛି ଇସ୍କନର ଅଦିନିଆ ରଥଯାତ୍ରା । ତାଇୱାନର ଜିମେଣ୍ଡିଙ୍ଗ ଏମଆରଟି ଏକ୍ଜିଟ୍-୬ରେ ଆୟୋଜିତ ହେବାକୁ ଥିବା ଅଦିନିଆ ରଥଯାତ୍ରାରେ ଯୋଗ ଦେବାପାଇଁ ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଅନଲାଇନ ମାଧ୍ୟମରେ ସୂଚନା ଦିଆଯାଇଛି । ଏହି ଅବସରରେ ସାଂସ୍କୃତିକ, କୀର୍ତ୍ତନ, ଯୋଗ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ଏହି ଘଟଣାକୁ ନେଇ ପୁରୀରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି l ଇସ୍କନ ଏପରି ବାରମ୍ବାର ନିୟମ ବାହାରେ କାର୍ଯ୍ୟ କରୁଥିବାକୁ ଜଗନ୍ନାଥ ପ୍ରେମୀ ସେବାୟତ ମାନଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଉଲ୍ଲେଖଯୋଗ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପରମ୍ପରାକୁ ଇସ୍କନ କର୍ତ୍ତୃପକ୍ଷ ବାରମ୍ବାର ଅଣଦେଖା କରୁଛନ୍ତି । ଏହା କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଗଭୀର ଆଘାତ ଦେଉଛି । ଏ ନେଇ ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅନେକ ଥର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିସାରିଛନ୍ତି । ଶ୍ରୀଗଜପତି ମହାରାଜା ପଶ୍ଚିମବଙ୍ଗରେ ଅବସ୍ଥିତ ମାୟାପୁର ଇସ୍କନ ଗଭର୍ଣ୍ଣିଂ ବଡି କମିଶନ ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଜଣାଇଥିଲେ ଯେ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଚୂଡ଼ାନ୍ତ ନିଷ୍ପତି କ୍ରମେ ବିଶ୍ଵର ବିଭିନ୍ନ ଦେଶରେ ଅବସ୍ଥିତ ଇସ୍କନ ମନ୍ଦିରମାନେ ଶାସ୍ତ୍ର ଓ ପାରମ୍ପରିକ ରୀତିରେ ନିର୍ଦ୍ଦିଷ୍ଟ ତିଥ୍ୟ ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ କରିବେ । ତେବେ ଏହା ସତ୍ତ୍ବେ ମଧ୍ଯ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରୁଛି ।