ଦିଲ୍ଲୀ:ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ପରେ ଫରିଦାବାଦ ଆତଙ୍କୀ ମଡ୍ୟୁଲର ଖୁଲାସା ପାଇଁ ତଦନ୍ତ ସଂସ୍ଥା ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରି ରଖିଛି । ଏହି ମାମଲାର ଚେର ଦିଲ୍ଲୀ, ହରିୟାଣାଠୁ ନେଇ କଶ୍ମୀର ଓ ତୁର୍କୀ ପର୍ୟ୍ୟନ୍ତ ଲମ୍ବିଛି । ବିସ୍ଫୋରଣ ଜମ୍ମୁ-କାଶ୍ମୀର ସହିତ ଜଡିତ, ତେଣୁ ଏଜେନ୍ସିଗୁଡ଼ିକ ଏବେ ସେଠାରେ ସନ୍ଦିଗ୍ଧ ଲୋକଙ୍କୁ ଖୋଜୁଛନ୍ତି। ବିସ୍ଫୋରଣ ପରଠାରୁ ଜମ୍ମୁ-କାଶ୍ମୀର ପୋଲିସ ୫୦୦ ସ୍ଥାନରେ ଚଢାଉ କରି ୬୦୦ ଜଣଙ୍କୁ ଅଟକ ରଖିଛି। ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ଏପର୍ୟ୍ୟନ୍ତ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୮ ଜଣଙ୍କୁ ଗିରଫ କରାଯାଇଛି । ଯେଉଁଥିରେ ୬ ଜଣ ଡାକ୍ତର ଏବଂ ୨ ଜଣ ମୌଲବୀ ରହିଛନ୍ତି ।
ଜମ୍ମ କାଶ୍ମୀର ପୋଲିସ ଜମାତ-ଏ-ଇସଲାମି ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଛି । ତଦନ୍ତକାରୀ ସଂସ୍ଥାଗୁଡ଼ିକ ଅନୁସାରେ ଜମାତ-ଏ-ଇସଲାମି ଜମ୍ମୁ-କାଶ୍ମୀରରେ ପୁଣି ଥରେ ନିଜର ଆଧିପତ୍ୟ ପ୍ରତିଷ୍ଠା କରିବାକୁ ଚାହୁଁଛି । ଶ୍ରୀନଗର, କୁଲଗାମ, ପୁଲୱାମା, ଶୋପିଆନ, ବାରାମୁଲ୍ଲା ସମେତ ଅନେକ ଜିଲ୍ଲାରେ ଚଢାଉ କରାଯାଇଛି । ଡାକ୍ତର ମଡ୍ୟୁଲ୍ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୁରୁବାର ଦିନ ତିନି ଜଣ ସରକାରୀ କର୍ମଚାରୀଙ୍କ ସମେତ ପ୍ରାୟ ୧୦ ଜଣଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି।
ସନ୍ଦିଗ୍ଧଙ୍କୁ ପଚରାଉଚରା କରିବାରୁ ଜଣାପଡ଼ିଛି ଯେ ସେମାନଙ୍କ ମଧ୍ୟରୁ କେତେକ ଗତ ବର୍ଷ ତୁର୍କିୀ ମଧ୍ୟ ଯାଇଥିଲେ । "ହ୍ୱାଇଟ୍-କଲର ଆତଙ୍କବାଦୀ" ମଡ୍ୟୁଲ୍ ସହିତ ଜଡିତ ୨୦୦ ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଛନ୍ତି। ଏହି ମାସର ଆରମ୍ଭରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଦୁଇଜଣ ଆତଙ୍କବାଦୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଆଧାରରେ ଏହି ମଡ୍ୟୁଲ୍ ପର୍ଦ୍ଦାଫାସ୍ କରାଯାଇଥିଲା। ପୋଲିସ ବାରାମୂଲାର ସୋପୋରରେ ୩୦ ଟି ସ୍ଥାନରେ ଚଢାଉ କରିଛି। ଚଢାଉ ସମୟରେ ଉଗ୍ରବାଦୀ ସାମଗ୍ରୀ ଜବତ କରାଯାଇଥିଲା, ଯେଉଁଥିରେ ନିଷିଦ୍ଧ ସଂଗଠନର ଗ୍ୟାଜେଟ୍ ଏବଂ ପୋଷ୍ଟର ମଧ୍ୟ ସାମିଲ ଥିଲା। ଏହି ମାମଲାରେ ଅନେକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି ।
ସେହିପରି ଗିରଫ ଆତଙ୍କବାଦୀମାନେ ହେଲେ, ଡାକ୍ତର ମୁଜମ୍ମିଲ ଶକୀଲ (ଫରିଦାବାଦ), ଡାକ୍ତର ଆଦିଲ୍ ରାଠର୍ (ସହାରନପୁର), ଡାକ୍ତର ଶାହୀନ ଶାହିଦ (ଫରିଦାବାଦ), ଡାକ୍ତର ସଜ୍ଜାଦ ଅହମ୍ମଦ ମଲ୍ଲା (ପୁଲୱାମା), ମୌଲବୀ ଇରଫାନ ଅହମ୍ମଦ (ଶୌପିୟାଁ), ଜମୀର ଅହମ୍ମଦ (ଗାନ୍ଦରବଲ), ତାରିକ ଅହମ୍ମଦ ଡାର୍ (ପୁଲୱାମା), ଆମିର ରାଶିଦ ମୀର (ପୁଲୱାମା), ଉମର ରଶିଦ ମୀର (ପୁଲୱାମା), ତାରିକ ମଲିକ (ପୁଲୱାମା), ସୁଲେମାନ ଓ ସୋହେଲ (ଗୁଜରାଟ) ଏବଂ ହଫିଜ ମହମ୍ମଦ ଇସ୍ତିୟାକ (ଫରିଦାବାଦ) ।