ନୂଆଦିଲ୍ଲୀ: ଶେଷ ହୋଇଛି ବିହାର ବିଧାନସଭା ନିର୍ବାଚନ ସହିତ ଅନ୍ୟାନ୍ୟ ରାଜ୍ୟରେ ଚାଲିଥିବା ଉପନିର୍ବାଚନ । ଇଭିଏମ୍ ମେସିନରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତାକାଲି କେବଳ ଫଳାଫଳକୁ ଅପେକ୍ଷା ରହିଛି । ଯାହାକୁ ନେଇ ନେତାଙ୍କ ଛାତି ଧଡ଼ଧଡ଼ । କିନ୍ତୁ ବିହାରରେ ପ୍ରାର୍ଥୀମାନେ ବିଜୟଲାଭ କରିବା ପରେ ମଧ୍ୟ ବିଜୟ ଉତ୍ସବ ମନାଇପାରିବେ ନାହିଁ । ନା ବାଜିବ ବାଜା, ନା ଫୁଟିବ ବାଣ । କାରଣ ବିହାରର ପାଟନାରେ ଆଦର୍ଶ ଆଚରଣ ସଂହିତା ଅବଧିକୁ ବୃଦ୍ଧି କରାଯାଇଛି ।
ବିହାର ନିର୍ବାଚନ ଆୟୋଗ ପାଟନାରେ ବଢ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଦର୍ଶ ଆଚରଣ ବିଧି ଅବଧିକୁ ବୃଦ୍ଧି କରିଛନ୍ତି । ଆସନ୍ତ ୧୬ ନଭେମ୍ବର, ରବିବାର ପର୍ଯ୍ୟନ୍ତ ବିଜୟ ଉତ୍ସବ ଉପରେ କଟକଣା ଜାରି କରାଯାଇଛି । ଏହି ସମୟରେ କୌଣସି ଦଳୀୟ ଶୋଭାଯାତ୍ରା, ରାଜନୈତିକ ସଭା, ଡିଜେ ଓ ବାଣ ରୋଷଣୀ ଆଦି ହେବ ନାହିଁ । ଏହି ନିୟମ ପାଟନା ଜିଲ୍ଲା ପାଇଁ ଲାଗୁ ହୋଇଛି । ଭୋଟ୍ ଗଣତି ଠାରୁ ଏହି ନିୟମ ଲାଗୁ ହେବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛି । ଯିଏ ନିୟମ ଉଲ୍ଲଂଘନ କରିବ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ପାଟନା ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ କାନୁନ ବ୍ୟବସ୍ଥାରେ କୌଣସି ସାଲିସ କରାଯିବ ନାହିଁ । କୌଣସି ବ୍ୟକ୍ତି କିମ୍ବା ଦଳ ଯଦି ନିୟମ ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲା ପ୍ରଶାସନ ସମସ୍ତ ଏସଡିଓ ଓ ଏସଡିପିଓଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛି । ଜିଲ୍ଲା କଣ୍ଟ୍ରୋଲ୍ ରୁମକୁ ୨୪ ଘଣ୍ଟିଆ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି ।
ପାଟନାରେ ୧୪ଟି ବିଧାନସଭା ଆସନ ପାଇଁ ଏଏନ୍ କଲେଜରେ ମତଗଣନା ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ବା ବିଏନ୍ଏସ୍ଏସ୍ ଧାରା ୧୬୩ ଲାଗୁ ହୋଇଛି । ୧୬ ନଭେମ୍ବର ଯାଏ କୌଣସି ସଭା ଓ ଶୋଭାଯାତ୍ରା ହୋଇପାରିବ ନାହିଁ ।