ଭୁବନେଶ୍ୱର: ଆଜି କାଞ୍ଜି ଅଁଳା ନବମୀ । କୃଷ୍ଣ ପକ୍ଷ ନବମୀ ତିଥୀରେ ଏହି ପୂଜା ପାଳନ କରାଯାଏ । ପ୍ରଥମାଷ୍ଟମୀ ପର ଦିନ ଏହି କାଞ୍ଜି ଅଁଳା ଓଷା କରାଯାଇଥାଏ । ଏଥିରେ ଭୋଗ ହେଉଥିବା କାଂଜିରେ ଅଁଳା ପଡୁଥିବାରୁ ଏହାର ନାଁ କାଂଜି ଅଁଳା ନବମୀ । ଏହି ପୂଜା ଷଠି ଦେବୀଙ୍କ ପାଇଁ କରାଯାଏ । ପିଲାମାନଙ୍କ ସୁରକ୍ଷା ପାଇଁ ଷଠି ଦେବୀଙ୍କୁ ପୂଜା କରାଯାଏ । ଷଠି ଦେବୀଙ୍କର ଆଉ ଏକ ପୂଜା ଅଛି, ଯାହାକୁ ଷଠି ଓଷା କୁହାଯାଏ । ସନ୍ଧ୍ୟାରେ ମହିଳାମାନେ ଏକତ୍ରିତ ହୋଇ ଏହି ପୂଜା କରନ୍ତି । ଏହି ପୂଜାରେ ଚକୁଳି ପିଠା, କାଞ୍ଜି ଏବଂ ପିତା ଶୁଖୁଆ ପୂଜା କରାଯାଏ।
ଏହି ଓଷାର କାହାଣୀ ଅତ୍ୟନ୍ତ ରୋଚକ । ସାଧବଘର ସାନ ବୋହୂ ରୋଷେଇ କରିବାକୁ ଯାଇ ଦେଖିଲା, ଘରେ ପରିବା ନାହିଁ। ପଡ଼ିଶାଘର ଦୋ’ସମାଳିରୁ କଖାରୁଟିଏ ଚୋରେଇ ଆଣି ରାନ୍ଧିଲା। ତାହା ଜାଣି ପଡ଼ିଶା ଘରର ସ୍ତ୍ରୀଲୋକ, କଖାରୁ ଚୋରାଇଥିବା ଲୋକର ପିଲାଏ ମରନ୍ତୁ ବୋଲି ଅଭିଶାପ ଦେଲା। ଫଳରେ, ସାଧବ ସାନବୋହୂ ସାତଥର ଗର୍ଭବତୀ ହୋଇ ସାତପୁଅଙ୍କୁ ଜନ୍ମ ଦେଲେ ମଧ୍ୟ, ଷଠୀ ଦେବୀ ପ୍ରତିଥର ତାଙ୍କୁ ନେଇଗଲେ। ଶେଷରେ ଅଷ୍ଟମ ଗର୍ଭରେ ଝିଅଟିଏ ହେଲା। ଷଠୀ ଦେବୀ ସାଧବ ସାନବୋହୂର ଦୁଃଖ ଜାଣି ବୁଢ଼ୀ ବେଶରେ ଆସି ତା’ ପାଖରେ ପହଞ୍ଚିଲେ। ସେ ପଡ଼ିଶା ଘରର କଖାରୁ ଚୋରିକରି ଥିବାରୁ ଅନୁତାପ କରୁଛି ବୋଲି ଜାଣି, ତାକୁ ସଦୟ ହେଲେ। ଶେଷରେ ବିଧି ଅନୁସାରେ ଷଠୀ ଦେବୀଙ୍କର କାଞ୍ଜିଅଁଳା ଓଷା କରିବାରୁ, ସାନବୋହୂ ସାତପୁଅଙ୍କୁ ଓ ଝିଅକୁ ଫେରିପାଇଲା।
ଏହି ପୂଜାରେ ଚକୁଳି ପିଠା, କାଞ୍ଜି ଏବଂ ପିତା ଶୁଖୁଆ ପୂଜା କରାଯାଏ। ୭ଟି ପିତା ଶୁଖୁଆକୁ କଦଳୀ ପତ୍ରରେ ରଖାଯାଇ ବୋହୁ ଭଳି ସଜାଯାଏ। ଯାହାକୁ ଶୁଖୁଆ ବୋହୁ କୁହାଯାଏ। ହଳଦିଆ କପଡାର ପାଟ ସହ ସିନ୍ଦୁର କଳା ଲଗାଇ ଶୁଖୁଆକୁ ପୂଜା କରାଯିବା ସହ କାଞ୍ଜି ଭୋଗ କରାଯାଏ। ପୂଜାରେ ମା’ଙ୍କୁ ଅର୍ପଣ କରାଯାଉଥିବା ଖାଦ୍ଯ ଗୁଡ଼ିକୁ ପ୍ରସାଦ କୁହାଯାଏ। ଚାଉଳରୁ ବାହାର କରାଯାଇଥିବା ପାଣିରୁ ଏହି କାଞ୍ଜି ପ୍ରସ୍ତୁତ କରାଯାଏ। ପନିପରିବା ଯଥା ମୂଳା, ଭଣ୍ଡା, କୋବି, ବିନ୍ ଇତ୍ୟାଦି ପରିବା ସହ, ଡାଲି ମିଶାଇ ଚାଉଳ ପାଣିରେ ଫୁଟାଯାଏ । ଏହା ପରେ ପଞ୍ଚ ପୁଟଣରେ ବଘରା ଯାଇ କାଞ୍ଜି ପ୍ରସ୍ତୁତ କରାଯାଏ ।
ଏହା ପରେ ବାଲିରେ ଏକ ପୋଖରୀ ତିଆରି କରାଯାଏ । ସେଠାରେ ବାଳୁଙ୍ଗା ଧାନ, ସାରୁ, କୋଇଲିଖିଆ , ଦାସକେରେଣ୍ଡା ଆଦି ଗଛ ରଖାଯାଏ। ତା’ ନିକଟରେ, ସାତଟି ପିତାଶୁଖୁଆକୁ ହଳଦି ପାଣିରେ ଗାଧୋଇ, ସିନ୍ଦୂର ଓ କଜ୍ଜ୍ୱଳ ଲଗାଇ, ବୋହୂପରି ହଳଦି ବା ଲାଲ ରଙ୍ଗର କନା ପିନ୍ଧାଇ ରଖାଯାଏ। ଭାତ ଓ କାଞ୍ଜି ସହିତ, ପୋଇ, ପିତାଶୁଖୁଆ , ମୂଳା ଓ କଖାରୁ ଆଦି ପଡ଼ି ଛଅ ପ୍ରକାରର ତରକାରୀ, ଛଅପ୍ରକାରର ପିଠା ଆଦି ବାଢ଼ି ପୂଜା କରାଯାଏ।ଏହା ପରେ କାଞ୍ଜି ଅଁଳା ଓଷା ବହି ପଢାଯାଏ । ଏହା ପରେ ମହିଳାମାନେ ବନ୍ଦାପନା କରି ପୂଜା ଶେଷ କରନ୍ତି। ପୂଜା ସରିବା ପରେ ଶୁଖୁଆ ବୋହୂକୁ ପ୍ରଣାମ କରିଥାନ୍ତି ଘରର ମହିଳା। ସେଥିପାଇଁ କୁହାଯାଏ ଏହିଦିନ ଶାଶୁ ବୋହୂକୁ ପ୍ରଣାମ କରିଥାଆନ୍ତି । ଏହି ଓଷାର ବିଶେଷତ୍ୱ ହେଉଛି ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଓ ନିଃସନ୍ତାନ ନାରୀମାନେ ସନ୍ତାନପ୍ରାପ୍ତି ପାଇଁ ମା’ ଷଠୀଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ଷଠୀଦେବୀ ହେଉଛନ୍ତି ଭଗବାନଙ୍କ ଏକ ଅନନ୍ୟ ସ୍ୱରୂପ ଯିଏକି ସନ୍ତାନସନ୍ତତିଙ୍କ ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।
ଅଧିକ ପଢନ୍ତୁ: ଖସୁଛି ପାରଦ : ଧୀରେ ଧୀରେ ବଢ଼ିଲାଣି ଶୀତର ପ୍ରକୋପ