ଭୁବନେଶ୍ୱର : ଆଜି ମାର୍ଗଶିର ମାସର ଦ୍ୱିତୀୟ ଗୁରୁବାର । ଓଡ଼ିଆ ଘରର ବଡ଼ ପୂଜା । ଘରେ ଘରେ ପୂଜା ପାଉଛନ୍ତି ମାଆ ଲକ୍ଷ୍ମୀ । ଧନଦାତ୍ରୀ ମା ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରବାର ଦିନ ସଧବା ନାରୀମାନେ ଅଗଣାରେ ରଙ୍ଗବେରଙ୍ଗ ଝୋଟି ପକାଇ ନୂଆ ଲୁଗା ପରିଧାନ କରି ଘରେ ଧାନ ଖଟୁଲିକୁ ସୁସଜ୍ଜିତ କରି ମା’ଙ୍କୁ ଆବାହନ କରିଥାନ୍ତି । ଏଥିପାଇଁ ଗାଁଠୁ ସହର ଶଙ୍ଖ ହୁଳହୁଳିରେ ଫାଟି ପଡିଥାଏ । ବିଶ୍ୱାସ ରହିଛି ଯେ ଆଜିର ଦିନରେ ଯେ କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ଭକ୍ତି ଏବଂ ରୀତିନୀତିର ସହ ପୂଜା କରିଥାଏ । ତାଙ୍କ ଗୃହରେ ମା' ଲକ୍ଷ୍ମୀ ବିଜେ କରିଥାନ୍ତି । କୁହାଯାଏ ମାଣ ବସାଇବାରୁ "ମାଣବସା" ନାମ ଆସିଛି। ଚାଉଳ ଆଦି ଶସ୍ୟ ମାପିବା ପାଇଁ ମାଣ ବ୍ୟବହାର ହୋଇଥାଏ। ଏହି ଓଷାରେ ଧାନମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟି ମାଣବସା ନାମରେ ଜଣା ।
ପୌରାଣିକ କଥାବସ୍ତୁ ଅନୁଯାୟୀ ଏକଦା ମାଣବସା ଗୁରୁବାର ଦିନ ମା’ ଲକ୍ଷ୍ମୀ ସ୍ୱାମୀଙ୍କ ଠାରୁ ଅନୁମତି ନେଇ ନଗର ପରିଭ୍ରମଣରେ ବାହାରି ଗଲେ। ବ୍ରାହ୍ମଣୀ ରୂପରେ ସେ ଘର ଘର ବୁଲିଲେ । ଅନେକ ସ୍ଥାନ ବୁଲିବା ପରେ ସେ ଶ୍ରୀୟା ନାମକ ଜଣେ ଚଣ୍ଡାଳୁଣୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖୁଥିଲା । ଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମନ୍ତ୍ରମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ । ସେକାଳରେ ସମାଜରେ ଛୁଆଁ ଅଛୁଆଁ ଭେଦଭାବ ରହିଥିଲା । ଏହା ଦେଖିପ୍ରଭୁ ବଳରାମ କୋପ ପ୍ରକାଶ କଲେ । ଚଣ୍ଡାଳୁଣୀର ଘରେ ପାଦ ଦେଇଥିବାରୁ ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ପରେ ଅପମାନିତ ହୋଇ ମାଆ ମଧ୍ୟ ମନ୍ଦିରରୁ ବାହାରି ଗଲେ । ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ବିଶ୍ୱକର୍ମା ଆଉ ଏକ ପ୍ରାସାଦ ଗଢ଼ିଦେଲେ । ତାଳ ବେତାଳଙ୍କୁ ଡକାଇ ମାଆ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ଶ୍ରୀମନ୍ଦିରକୁ ଶ୍ରୀହୀନ କରିଦେଲେ । ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ। ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମୁରବିଙ୍କୁ ଭେଟିବାକୁ ଚାହିଁଲେ। ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ। ଶୁଚିଶୁଦ୍ଧ ଲୋକର ଦ୍ୱାରକୁ ଯିବାକୁ ବାରଣ ନାହିଁ କି ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ ।
ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଘରର ପ୍ରତ୍ୟକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତାଦ୍ୱାରା ସଜାଯାଇଥାଏ । ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ । ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ । ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଏ । ମା’ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ । ଘରର ଚତୁଃପାଶ୍ୱର୍ରୁ ମା’ଙ୍କର ପଦ୍ମ ପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଏ । ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୂର ବୋଳାଯାଏ । ବିଧି ଅନୁଯାୟୀ ଖଟୁଲି ଉପରେ ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆଁ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ ।
ଅଧିକ ପଢନ୍ତୁ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏ ସାଧାରଣ ଦର୍ଶନ ବନ୍ଦ