ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ହାତୀ କାହା ମୁଣ୍ଡରେ ସୁନା କଳସ ଢ଼ାଳୁଛି ତାହା ଆସନ୍ତା ୧୪ରେ ସ୍ପଷ୍ଟ ହୋଇଯିବ। ଏହି ଉପନିର୍ବାଚନ ଓଡ଼ିଶା ରାଜନୀତିକୁ ବେଶ୍ ପ୍ରଭାବିତ କରିବ ବୋଲି କୁହାଯାଉଛି। ହାଇଭୋଲ୍ଟେଜ ପ୍ରଚାର ପରେ ନୂଆପଡ଼ା ବିଧାନସଭା ଉପନିର୍ବାଚନର ଫଳାଫଳକୁ ଆସିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି।ତେବେ ଏହି ନିର୍ବାଚନର ଫଳାଫଳ ଆଗାମୀ ଦିନରେ ବିଜେପି, ବିଜେଡି ଓ କଂଗ୍ରେସର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ।
ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟ ଦଳୀୟ ସଂଗଠନ ସହ ରାଜ୍ୟବାସୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ର ମୋହନ ଚରଣ ମାଝୀଙ୍କ ପତିଆରା ତଥା ଲୋକପ୍ରିୟତା ବୃଦ୍ଧି ପାଇବ। ମୋହନଙ୍କ ୧୭ ମାସର ଶାସନ ପରିଚାଳନା ଉପରେ ଜନତାଙ୍କର ମୋହର ବାଜିବ। ଏହି ଉପନିର୍ବାଚନ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ଲୋକପ୍ରିୟତାର ପ୍ରମାଣ ଦେବ ଏବଂ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଜନସାଧାରଣ ତାଙ୍କୁ କେତେ ଗ୍ରହଣ କରୁଛନ୍ତି, ତାହା ସ୍ପଷ୍ଟ ହୋଇଯିବ।
ସେହିପରି ବିଜେଡି ମଧ୍ୟ ଏହି ଉପନିର୍ବାଚନ ଜିତିବା ଲାଗି ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛି। ପ୍ରଚାର ବେଳେ ପ୍ରାର୍ଥୀ ଚାରି ପ୍ରସଙ୍ଗରେ ବିଜେପି ଉପରେ ବିଜେଡି ସୁପ୍ରିମୋ ଶାଣିତ ଆକ୍ରମଣ କରିଛନ୍ତି। କେବଳ ସେତିକି ନୁହେଁ କ୍ଷମତାରୁ ଯିବା ପରେ ନବୀନ ନିଜେ ୨ ଥର ନୂଆପଡ଼ା ଯାଇ ଦଳୀୟ ପାର୍ଥୀଙ୍କୁ ଲାଗି ଭୋଟ ମାଗିଛନ୍ତି। ରାଜନୈତିକ ବିଶ୍ଲେଷକଙ୍କ କହିବା ଅନୁଯାୟୀ ୨୦୨୪ ନିର୍ବାଚନ ହାରିବା ପରେ ଏହି ଉପନିର୍ବାଚନରେ ନବୀନଙ୍କ ପ୍ରଚାର ଯଦି ତାଙ୍କ ଦଳକୁ ଜିତାଇବାର ରାସ୍ତା ଦେଖାଇ ନ ପାରେ, ତା’ହେଲେ ଜନସାଧାରଣ ଧରିନେବେ ନବୀନଙ୍କ ସମୟ ସରିଗଲା। ତେଣୁ ବିଜେଡି ପାଇଁ ଏହି ନିର୍ବାଚନ କର ବା ମର ସ୍ଥିତି ରହିଥିବା ବେଳେ ଏଠାରେ ନବୀନଙ୍କ ସମ୍ମାନ ବି ବାଜିରେ ଲାଗିଛି।
ଅପରପକ୍ଷେ କଂଗ୍ରେସ ପାଇଁ ନୂଆପଡ଼ା ମଧ୍ୟ ସମ୍ମାନର ପ୍ରଶ୍ନ ପାଲଟିଛି। ୨୦୦୯ରେ କଳାହାଣ୍ଡି ଲୋକସଭାରୁ କଂଗ୍ରେସ ପ୍ରାର୍ଥୀ ଭାବେ ଭକ୍ତ ଦାସ ବିଜୟୀ ହୋଇଥିଲେ, ସେତେବେଳେ ନୂଆପଡ଼ା ବିଧାନସଭା କ୍ଷେତ୍ରରୁ ଭକ୍ତଙ୍କୁ ଭଲ ଭୋଟ ମିଳିଥିଲା। କିନ୍ତୁ ଏହି ଉପନିର୍ବାଚନରେ କଂଗ୍ରେସ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନକୁ ଯଦି ଖସି ଆସେ ତେବେ ଦଳ ଭିତରେ ପିସିସି ସଭାପତିଙ୍କ କ୍ଷମତା ପତିଆରା କ୍ଷୁଣ୍ଣ ହେବା ଆଶଙ୍କା ରହିଛି। ଯଦି କଂଗ୍ରେସ ଦଳ ତୃତୀୟ ସ୍ଥାନରେ ରହୁଛି, ତାହେଲେ ଭକ୍ତଙ୍କ ପାଇଁ କଂଗ୍ରେସ ରାଜନୀତିରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ। ରାଜନୈତିକ ଦୃଷ୍ଟିରୁ ଭକ୍ତଙ୍କ ପାଇଁ ନୂଆପଡ଼ା ଉପନିର୍ବାଚନର ଫଳାଫଳ ଯଥେଷ୍ଟ ଗୁରୁତ୍ବ ବହନ କରୁଛି।
ନୂଆପଡ଼ା ବିଧାନସଭାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗ ପରେ ଅନୁଷ୍ଠିତ ଉପନିର୍ବାଚନ ଉପରେ ସାରା ରାଜ୍ୟବାସୀଙ୍କ ନଜର ରହିଛି। ୨୪ ବର୍ଷ ପରେ ବିଜେଡିକୁ କ୍ଷମତାରୁ ହଟାଇଥିବା ବିଜେପି ନିଜ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ସବୁ ବଳ ଖଟାଇ ଦେଇଛି। ବିଜେଡି ଓ କଂଗ୍ରେସ ମଧ୍ୟ ନିଜର ପ୍ରଚାର ଅଭିଯାନରେ କିଛି ଊଣା କରିନାହାନ୍ତି। ତେବେ ୩ ଦଳର ସମସ୍ତ ପ୍ରଚେଷ୍ଟା ସ୍ଵତ୍ତ୍ୱେ, ଜନାଦେଶ କାହା ସପକ୍ଷରେ ଯାଉଛି, ବା କାହା ନେତୃତ୍ୱ ଉପରେ ଜନତା ଅଧିକ ଭରଷା କରୁଛନ୍ତି, ତାହା ଆସନ୍ତା ୧୪ରେ ହିଁ ସ୍ପଷ୍ଟ ହେବ।
ଅଧିକ ପଢନ୍ତୁ: ଇଭିଏମ୍ ଚୋରି ଅଭିଯୋଗକୁ ଖଣ୍ଡନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ, କୌଣସି ଜିଲ୍ଲାରୁ ଇଭିଏମ୍ ଆଣିବା ଅସମ୍ଭବ