ଭୁବନେଶ୍ୱର: ପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ଆଉ ଜଣେ ଗିରଫ ହୋଇଛି । ପରୀକ୍ଷା ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ସାଗର ଗୌଡ଼କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସାଗର ଗୌଡ଼ ଶଙ୍କର ପୃଷ୍ଟିର କେୟାରଟେକର୍ ଅଟେ । ଏସଆଇ ନିଯୁକ୍ତିର ଦୀଘା ମଡ଼୍ୟୁଲକୁ ସାଗର ପରିଚାଳିତ କରୁଥିଲା ।
ଏସଆଇ ନିଯୁକ୍ତି ଦୁର୍ନୀତିରେ ଦୁଇଟି ଠିକଣା ସ୍ଥିର କରାଯାଇଥିଲା । ଗୋଟେ ଥିଲା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଏବଂ ଆଉ ଏକ ସ୍ଥାନ ଥିଲା ଦୀଘା । ବାଲେଶ୍ୱରରୁ ଗିରଫ ହୋଇଥିବା ଅରବିନ୍ଦ ଦାଶ ଦୀଘା ମଡ୍ୟୁଲର କାର୍ପଟଦାର୍ ଥିଲା । ମୁନା ମହାନ୍ତି ଆନ୍ଧ୍ରର ଶ୍ରୀକାକୁଲମ ମଡେଲ୍ ଦେଖୁଥିଲା ଏବଂ ଦୀଘାରେ ମଧ୍ୟ ଅରବିନ୍ଦ ଏକ ହୋଟେଲ୍ ବୁକ୍ କରିବାରେ ସାହାଯ୍ୟ କରିଥିଲା । ସେଠାରେ ୧୧୦ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ରୁମ୍ ବୁକ୍ ହୋଇଥିଲା । ଖାଇବା, ପିଇବା ଓ ରହିବା ପାଇଁ ୧୮ ଲକ୍ଷ ଟଙ୍କା ଅଗ୍ରୀମ ବାବଦକୁ ଦାଖଲ କରାଯାଇଥିଲା । ଦୀଘାରେ ସେପ୍ଟେମ୍ବର ୩୦ ତାରିଖ ଦିନ ସମସ୍ତେ ଏକାଠି ହୋଇଥାଆନ୍ତେ । କିନ୍ତୁ ସେପ୍ଟେମ୍ବର ୨୯ରେ ଶ୍ରୀକାକୁଲମ ଘଟଣା ସାମ୍ନାକୁ ଆସିବା ପରେ ଦୀଘା ମଡେଲକୁ ତୁରନ୍ତ ବାତିଲ କରାଯାଇଥିଲା । ଦୁଇଟି ମଡେଲରେ ପାଖାପାଖି ୨୨୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଡିଲ୍ ହୋଇଥିଲା ।
ଏସଆଇ ନିଯୁକ୍ତି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ସମ୍ପୃକ୍ତି ଥିବା ୧୧୪ ପରୀକ୍ଷାର୍ଥୀଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।