ଭୁବନେଶ୍ୱର: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଏଥିପାଇଁ ୪ ଘଂଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁଣି ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଠାକୁରଙ୍କ ବନକଲାଗ ନୀତି ପାଇଁ ଶ୍ରୀମନ୍ଦିରରେ ପୂର୍ବ ଦିନରୁ ପ୍ରସ୍ତୁତି ହୋଇଥାଏ । ଗୁରୁବାର ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯିବ । ଏହା ଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ । ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ମୁଦୁଲି ଆଦି ସେବକଙ୍କର ମଧ୍ୟ ଏହି ନୀତି ସମ୍ପାଦନରେ ଭୂମିକା ରହିଛି ।
ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି । ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ । ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି । ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଯେତିକି ସମୟ ଏହି ନୀତି ଚାଲେ ସେହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଥାଏ ।
ଅଧିକ ପଢନ୍ତୁ: ଆଜି ମାଣବସା ଗୁରୁବାର: ପିଠାପଣା ବାସ୍ନାରେ ମହକୁଛି ଗାଁ ଦାଣ୍ଡ