ଭୁବନେଶ୍ୱର: ରାଜ୍ୟରେ ଜମି କିଣାବିକା ଏବଂ ଜମି ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଓଡ଼ିଶା ସର୍ଭେ ଆଣ୍ଡ ସେଟଲ୍ମେଣ୍ଟ ରୁଲ୍ସରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏଣିକି ପୁରୁଣା ପଞ୍ଜୀକୃତ କବଲା ସଂଶୋଧନ କରିବାର କ୍ଷମତା ତହସିଲଦାରଙ୍କୁ ପ୍ରଦାନ କରାଯାଇଛି।
ଅନ୍ୟାନ୍ୟ ବୈଧ ଦଲିଲ ସମ୍ବନ୍ଧୀୟ ଜମିଜମା ରେକର୍ଡର ସଂଶୋଧନ କ୍ଷମତା ମଧ୍ୟ ତହସିଲଦାରଙ୍କୁ ମିଳିଛି। ଏହି ନିଷ୍ପତ୍ତି ଫଳରେ ଜମି ମାମଲାରେ ଆଉ ରାଜସ୍ବ ପର୍ଷଦ (Revenue Board) କିମ୍ବା ଅନ୍ୟାନ୍ୟ ରିଭିଜନ କୋର୍ଟରେ ଅପିଲ କରିବାର ଆବଶ୍ୟକତା ପଡ଼ିବ ନାହିଁ।
ଅତ୍ୟଧିକ କାର୍ଯ୍ୟଭାର ଯୋଗୁ, ଏହି ଅପିଲଗୁଡିକ ବର୍ଷ ବର୍ଷ ଧରି ଫଇସଲା ନ ହୋଇ ପଡି ରହିଥାଏ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ ଉପରୋକ୍ତ ନିୟମ ସଂଶୋଧନ ଦ୍ବାରା ବର୍ତ୍ତମାନ ଏପରି ମାମଲାରେ ଜମିପଟ୍ଟା କ୍ରେତାଙ୍କ ନାମରେ ରେକର୍ଡ କରିବା ପାଇଁ ସଂପୃକ୍ତ ତହସିଲଦାରମାନେ କ୍ଷମତାପ୍ରାପ୍ତ ହେବେ। ଏହାଦ୍ବାରା ସଂପୃକ୍ତ କ୍ରେତାମାନେ ବନ୍ଦୋବସ୍ତ ପ୍ରକ୍ରିୟା (Settlement Operation) ପୂର୍ବରୁ ବୈଧ ଭାବେ କିଣିଥିବା ଜମିର ଜମିପଟ୍ଟା ନିଜ ନାମରେ କରିବା ପାଇଁ ସଂପୃକ୍ତ ତହସିଲଦାରଙ୍କ ପାଖରେ ଆବେଦନ କରିପାରିବେ। ସେମାନଙ୍କୁ ରାଜସ୍ବ ପର୍ଷଦ ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟରେ ଅପିଲ ବା ଆବେଦନ କରିବାକୁ ପଡ଼ିବ ନାହିଁ।
ଏହା ପୂର୍ବରୁ ରାଜ୍ୟରେ ଜମି କିଣାବିକାକୁ ସରଳ କରିବା ଉଦ୍ଦେଶ୍ୟରେ ତହସିଲ ଅଫିସରେ ସବରେଜିଷ୍ଟ୍ରି ଅଫିସର ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଏବଂ ଡିସେମ୍ବର ସୁଦ୍ଧା ମୋଟ୍ ୨୭୩ଟି ତହସିଲ ଅଫିସରେ ଏହି ସେବା ଆରମ୍ଭ କରାଯାଇଛି।
ଅଧିକ ପଢନ୍ତୁ: ଗୋଲ୍ଡ ଲୋନ୍ ଭଳି ଏବେ ଆପଣ ରୁପା ରଖି ବ୍ୟାଙ୍କରୁ ନେଇପାରିବେ ଋଣ: RBI ଆଣିଲା ନୂଆ ନିୟମ, ଜାଣନ୍ତୁ କିପରି ପାଇବେ ଫାଇଦା