ଭୁବନେଶ୍ୱର: ପୋଲିସ ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି । ସିବିଆଇର ଭୁବନେଶ୍ୱର ଶାଖା ଏହି ମାମଲା ରୁଜୁ କରିଛି । ଜଣେ ଡିଏସପି ପାହ୍ୟାର ଅଧିକାରୀ ଏସ୍ଆଇ କେଳେଙ୍କାରୀର ତଦନ୍ତ ଦାୟିତ୍ୱ ସମ୍ଭାଳିବେ । ଡିଏସପିଙ୍କ ନେତୃତ୍ୱରେ ତଦନ୍ତ ଟିମ୍ ଗଠିତ ହେବ ।
ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ଏଯାବତ ମାମଲାର ଯାହା ଅଗ୍ରଗତି ହୋଇଛି କ୍ରାଇମବ୍ରାଞ୍ଚ ତାର ସମସ୍ତ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିବ । କ୍ରାଇମବ୍ରାଞ୍ଚ ମାଷ୍ଟରମାଇଣ୍ଡ୍ ଶଙ୍କର ପୃଷ୍ଟି ସହ ଅନେକ ଲୋକଙ୍କ ଗିରଫ କରିବାରେ ସଫଳ ହୋଇଛି । ତେବେ ଗିରଫଙ୍କ ମଧ୍ୟରେ ଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।
ଏହି ମାମଲା ଶ୍ରୀକାକୁଲମରୁ ନେଇ ଦୀଘା ପର୍ଯ୍ୟନ୍ତ ଚେର ଲମ୍ବି ଥିବାରୁ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆନ୍ତଃରାଜ୍ୟ ମାମଲା ହୋଇଥିବାରୁ ସିବିଆଇ ତଦନ୍ତ ପାଇଁ ରାଜ୍ୟ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲା । ଏହା ପରେ କେନ୍ଦ୍ର ପକ୍ଷରୁ ସିବିଆଇ ତଦନ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।