ନୂଆପଡ଼ା: ଆସନ୍ତାକାଲି ନୂଆପଡ଼ା ବିଧାନସଭା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ସକାଳ 8ଟାରୁ ନୂଆପଡ଼ା ନ୍ୟାସନାଲ କଲେଜରେ ଭୋଟ୍ ଗଣତି ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି ।
ନୂଆପଡ଼ାରେ ୩୫୮ଟି ବୁଥ୍ ପାଇଁ ୧୪ଟି ଟେବୁଲରେ ଭୋଟ ଗଣତି କରାଯିବ । ମୋଟ ୨୬ ରାଉଣ୍ଡରେ ଗଣତି ହେବ । ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ପେପର୍ ଗଣତି କରାଯିବ । ଏହା ପରେ ସାଢ଼େ ୮ଟାରେ ଇଭିଏମ୍ ମେସିନ୍ ଖୋଲାଯିବ । ଗୋଟିଏ ଟେବୁଲରେ ୩ ଜଣ ଅଧିକାରୀ ଏବଂ ବିଭିନ୍ନ ରାଜନୈତିକ ଦଳର ଏଜେଣ୍ଟମାନେ ରହିବେ । ସମସ୍ତ ରାଜନୈତିକ ଦଳର ଏଜେଣ୍ଟ୍ ଏବଂ ଅଧିକାରୀଙ୍କ ଉପସ୍ଥିତିରେ ଇଭିଏମ୍ ମେସିନ ଖୋଲାଯିବ ଏବଂ ଏହା ପରେ ଗଣତି ଆରମ୍ଭ ହେବ । ଏହା ପୂର୍ବରୁ ସମସ୍ତ କାଉଣ୍ଟିଂ ଅଧିକାରୀ ଏବଂ ଏଜେଣ୍ଟମାନେ କଲେଜରେ ପହଁଚି ନିଜର ପ୍ରମାଣ ପତ୍ର ଦେଖାଇ ମତଗଣନା ଗୃହକୁ ପ୍ରବେଶ କରିବେ ।
ଆଜି ଜିଲ୍ଲା ଡିଆରଡିଏ କାର୍ଯ୍ୟାଳୟର ସଦଭାବନା ଗୃହରେ ଭୋଟ୍ ଗଣତିରେ ସାମିଲ ହେବାକୁ ଥିବା ଅଧିକାରୀଙ୍କୁ ତାଲିମ ଦିଆଯାଉଛି । ଏଥିରେ ଗଣତି ଅଧିକାରୀ ଓ ବିଭିନ୍ନ ଦଳର ଏଜେଣ୍ଟ ପ୍ରମୁଖ ଉପସ୍ଥିତ ରହିଛନ୍ତି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନଙ୍କ ସୂଚନା ମୁତାବକ, ଚଳିତ ଥର ଗଣତି ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଯେତେବେଲେ କଣ୍ଟ୍ରୋଲ ୟୁନିଟର ତ୍ରୁଟି ବାହାରୁଥିବା ତାକୁ ଅଲଗା ରଖି ଗଣତି ଚାଲୁ ରହୁଥିଲା । କିନ୍ତୁ ଚଳିତ ଥର ଯେଉଁ କଣ୍ଟ୍ରୋଲ ୟୁନିଟର ତ୍ରୁଟି ବାହାରିବ, ତାର ଭିଭିପାଟ୍ ମେସିନର ଭୋଟ୍ ଗଣତି କରାଯିବ । ଯେଉଁଠି ମକ୍ ପୋଲ୍ ବେଳେ ତ୍ରୁଟି ଦେଖାଯାଇଥିଲା ସେହି ବୁଥର ଭିଭିପାଟ୍ ମେସିନର ଗଣତି କରାଯିବ । ପ୍ରତି ରାଉଣ୍ଡର ଗଣତି ପରେ ଫଳାଫଳ ଘୋଷଣା କରାଯିବ ।
ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ ହୋଇଛି। ନୂଆପଡ଼ାରେ ଗତ ୨୦୨୪ ସାଧାରଣ ନିର୍ବାଚନ ଅପେକ୍ଷା ମତଦାନ ବୃଦ୍ଧି ପାଇଛି । ଗତ ନିର୍ବାଚନରେ ୭୫.୪୯ପ୍ରତିଶତ ମତଦାନ ହୋଇଥିଲା ।