ନୂଆଦିଲ୍ଲୀ: ଦିଲ୍ଲୀ କାର୍ ବିସ୍ଫୋରଣକୁ ନେଇ ସାରା ଦେଶରେ ଚର୍ଚ୍ଚା ବଢ଼ିଚାଲିଛି। ଏହା ମଧ୍ୟରେ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ହୋଇଛି। ବିସ୍ଫୋରଣ ସୋମବାର ସନ୍ଧ୍ୟା ପ୍ରାୟ ୬.୫୨ ସମୟରେ ଘଟିଥିଲା ଯେତେବେଳେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଏକ ଟ୍ରାଫିକ୍ ସିଗନାଲରେ ଏକ Hyundai i20 ହଠାତ୍ ନିଆଁରେ ଜଳି ଉଠିଥିଲା। ବିସ୍ଫୋରଣରେ ନିକଟବର୍ତ୍ତୀ ଅନେକ ଯାନବାହନ ଜାଳି ଯାଇଥିଲା। ଏହି ବିସ୍ପୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ଆଉ ତିନି ଜଣ ପୀଡିତଙ୍କ ମୃତ୍ୟୁ ହୋଇଥିବା ଆଜି ପୁଣି ଆଉ ଜଣେ ପୀଡ଼ିତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଝିଛନ୍ତି।
ଦିଲ୍ଲୀ ବିସ୍ଫୋରଣର ତଦନ୍ତ ଏବେ ତୃତୀୟ ଦିନରେ ପହଞ୍ଚିଛି ଏବଂ ଏହାର ନେତୃତ୍ୱ ନେଉଛି ଆତଙ୍କବାଦ ବିରୋଧୀ ସଂସ୍ଥା, ଜାତୀୟ ତଦନ୍ତକାରୀ ସଂସ୍ଥା। ତଦନ୍ତକାରୀମାନେ ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ତିନି ଜଣ ଡାକ୍ତରଙ୍କୁ ହେପାଜତକୁ ନେଇଛନ୍ତି, ଯେଉଁଠାରେ ଡାକ୍ତର ଉମର ମହମ୍ମଦ ମଧ୍ୟ କାର୍ଯ୍ୟ କରୁଥିଲେ। ତଦନ୍ତକାରୀମାନେ ବିସ୍ଫୋରଣରେ ବ୍ୟବହୃତ i20 କାରର ବିକ୍ରୟ ଏବଂ କ୍ରୟକୁ ମଧ୍ୟ ଟ୍ରାକ୍ କରୁଛନ୍ତି ଏବଂ ବିସ୍ଫୋରଣ ପୂର୍ବରୁ ଏହାର ଯାତ୍ରାକୁ ମଧ୍ୟ ଟ୍ରାକ୍ କରୁଛନ୍ତି।
ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ ଏକ ବଡ଼ ଧରଣର ଷଡ଼ଯନ୍ତ୍ରର ଖୁଲାସା କରିଛନ୍ତି। ଜୈଶ-ଏ-ମହମ୍ମଦ (JeM) ସହ ଜଡ଼ିତ ସନ୍ଦିଗ୍ଧ ‘ଡାକ୍ତର ମଡ୍ୟୁଲ୍’ ଆସନ୍ତା ଡିସେମ୍ବର ୬ ତାରିଖରେ ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ (NCR) ର ୬ରୁ ୭ଟି ସ୍ଥାନରେ ସିରିଜ୍ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ଗିରଫ ହୋଇଥିବା ସନ୍ଦିଗ୍ଧମାନେ ପଚରାଉଚରା ବେଳେ ପ୍ରକାଶ କରିଛନ୍ତି ଯେ, ସେମାନେ ବାବ୍ରି ମସଜିଦ୍ ଭାଙ୍ଗିବାର ବାର୍ଷିକୀ ଦିନ (ଡିସେମ୍ବର ୬, ୧୯୯୨)କୁ ପ୍ରତିଶୋଧ ନେବା ପାଇଁ ଟାର୍ଗେଟ୍ କରିଥିଲେ।
ଗୋଇନ୍ଦା ସୂତ୍ରରୁ ଜଣାପଡ଼ିଛି ଯେ, ଏହି ମଡ୍ୟୁଲ୍ ଏକ ପାଞ୍ଚ-ପର୍ଯ୍ୟାୟ ବିଶିଷ୍ଟ ଯୋଜନା ପ୍ରସ୍ତୁତ କରିଥିଲେ। ଜୈଶ-ଏ-ମହମ୍ମଦ ଓ ଅନ୍ସାର୍ ଗଜୱାତ-ଉଲ-ହିନ୍ଦ୍ ସହ ଯୋଡ଼ି ହୋଇ ମଡ୍ୟୁଲ୍ ଗଠନ କରିଥିଲେ। ହରିୟାଣାର ନୂହ ଓ ଗୁରୁଗ୍ରାମରୁ IED ତିଆରି ପାଇଁ କଞ୍ଚାମାଲ ଓ ଗୋଳାବାରୁଦ ସଂଗ୍ରହ କରାଯାଇଥିଲା। ଏଥିରେ ଘାତକ ରାସାୟନିକ IED ତିଆରି କରିବା ଏବଂ ବିସ୍ଫୋରଣ ପାଇଁ ସମ୍ଭାବ୍ୟ ସ୍ଥାନଗୁଡ଼ିକର ରେକି (ଅନୁଧ୍ୟାନ) କରିବା ଏବଂ ସଂଗୃହୀତ ବୋମାକୁ ମଡ୍ୟୁଲ୍ ସଦସ୍ୟମାନଙ୍କ ମଧ୍ୟରେ ବଣ୍ଟନ କରିବା। ଏହାପରେ ଦିଲ୍ଲୀ-NCR ର ୬-୭ଟି ସ୍ଥାନରେ ସମନ୍ୱିତ ବିସ୍ଫୋରଣ କରିବା ଲକ୍ଷ୍ୟ ଥିଲା।
ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ କାଶ୍ମୀରୀ ଡାକ୍ତର ଉମର ମହମ୍ମଦ ହିଁ ବିସ୍ଫୋରଣ ହୋଇଥିବା i20 କାର୍ ଚଳାଉଥିଲେ। ତଦନ୍ତକାରୀଙ୍କ ମତରେ, ତାଙ୍କ ସହଯୋଗୀ ଡାକ୍ତର ମୁଜାମ୍ମିଲ ଶେଖ ଓ ଶାହୀନ୍ ସୟୀଦ୍ ଗିରଫ ହେବା ପରେ ଉମର ଭୟଭୀତ ହୋଇ ହତାଶାରେ ଏହି କାର୍ ବିସ୍ଫୋରଣ ଘଟାଇଥିଲେ।
ଅଧିକ ପଢନ୍ତୁ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ନୂଆ ଖୁଲାସା: ଆତଙ୍କବାଦୀଙ୍କ ମଧ୍ୟରେ ଟଙ୍କାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ